ଯୋଗାଣ ବିଭାଗର ଚଢ଼ଉ, ୩୧ କୁଇଣ୍ଟାଲ ଧାନ ସହ ଗାଡ଼ି ଜବତ 

 କୋକସରା/ଆମପାଣି,୧୬ ।୧୨ : କଳାହାଣ୍ଡି ଜିଲ୍ଲାରେ ବେଆଇନ ଭାବେ ଧାନ ଚୋରାଚାଲାଣ ହେଉଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ଜୋରଦାର ଚଢ଼ଉ ଚାଲିଛି । ଗତକାଲି କୋକସରା ବ୍ଲକ୍ ମୋଟେର ନିକଟରେ ଚଢ଼ଉ କରି ବେଆଇନ ଧାନ ସହ ଟ୍ରକ୍ ଜବତ ହୋଇଥିଲା । ଶନିବାର ପୁଣି ବ୍ଲକର ଆମପାଣି ଆରଏମ୍‌ସି ଚେକ୍ ଗେଟ ନିକଟରେ ଯୋଗାଣ ବିଭାଗ ଦ୍ୱାରା ଧାନ ସହ ୪୦୭ ଗାଡ଼ିକୁ ଜବତ କରାଯାଇଛି । ଜୟପାଟଣା ବ୍ଲକ୍ ଖଇରମାଲ ଗ୍ରାମରୁ ନବରଙ୍ଗପୁର ଜିଲ୍ଲା ମୈଦଲପୁରକୁ ଏହି ବେଆଇନ ଧାନ ଚାଲାଣ ହେଉଥିଲା । ଏହି ସମୟରେ ଯୋଗାଣ ବିଭାଗ ପକ୍ଷରୁ ଆମପାଣିଠାରେ ଗାଡ଼ିକୁ ଅଟକାଇ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଡ୍ରାଇଭର ଉପଯୁକ୍ତ କାଗଜପତ୍ର ଦେଖାଇ ପାରି ନ ଥିବାରୁ ଧାନ ଚୋରାଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଉକ୍ତ ଗାଡ଼ିରୁ ୩୧.୦୪ କୁଇଣ୍ଟାଲ ଧାନ ଜବତ୍ ହୋଇଥିବାବେଳେ ବୋବରିଆ ସ୍ଥିତ ଜେକେ. ଫୁଡସରେ ଜିମା ଦିଆଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସିଏସ୍‌ଓ ମନୋଜ ଦାସଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ ଏସିଏସ୍‌ଓ ଦୁର୍ଗା ପ୍ରସାଦ ମାଝୀ, କୋକସରା ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଜୟପାଟଣା ଯୋଗାଣ ନିରୀକ୍ଷକ ପ୍ରିୟ ରଞ୍ଜନ ନାୟକ, ଧର୍ମଗଡ଼ ଯୋଗାଣ ନିରୀକ୍ଷକ ପ୍ରସାନ୍ତ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

Spread the love