ନିର୍ବାଚନ ଲଢ଼ିବାକୁ ମୋଦୀ ପରାମର୍ଶ ଦେଇଥିବା ଲକ୍ଷପତି ଦିଦି କିଏ ଜାଣନ୍ତୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ବାରାଣସୀ ଗସ୍ତରେ ଯାଇ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କ ସହିତ ଆଲୋଚନା ସମୟରେ ଜଣେ ମହିଳାଙ୍କ ଭାଷଣର ଖୁବ ପ୍ରଶଂସା କରିଥିଲେ। ଏଥିସହିତ ତାଙ୍କୁ ନିର୍ବାଚନ ଲଢ଼ିବାକୁ ପରାମର୍ଶ ଦେଇଥିଲେ। ଏହି ମହିଳାଙ୍କ ନାମ ଚନ୍ଦାଦେବୀ ।

ଚନ୍ଦାଦେବୀ ଚର୍ଚ୍ଚାକୁ ଆସିବା ପରେ ଲୋକେ ଏହି ମହିଳା ଜଣକଙ୍କ ବିଷୟରେ ଜାଣିବାକୁ ଚାହିଁଛନ୍ତି। ୩୫ବର୍ଷର ଚନ୍ଦାଦେବୀ ରାମପୁର ଗ୍ରାମରେ ବସବାସ କରନ୍ତି। ଚନ୍ଦାଦେବୀ ଲକ୍ଷପତି ଦିଦି ନାମରେ ଜଣାଶୁଣା। ଚନ୍ଦାଦେବୀ କହିଛନ୍ତି, ‘୨୦୦୪ରେ ମୁଁ ଇଣ୍ଟର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲି। ୨୦୦୫ରେ ଲୋକପତି ପଟେଲଙ୍କ ସହ ମୋର ବିବାହ ହୋଇଯାଇଥିଲା। ବିବାହ ପରେ ମୁଁ ପାଠପଢ଼ା ଛାଡ଼ି ଦେଇଥିଲି। ମୋର ଦୁଇଜଣ ସନ୍ତାନ ଅଛନ୍ତି। ମୁଁ ପାଠପଢ଼ି ପାରିଲି ନାହିଁ। କିନ୍ତୁ ମୋର ଦୁଇପିଲାଙ୍କୁ ଭଲ ପାଠପଢ଼ାଇ ଭଲ କଲେଜରେ ନାମ ଲେଖାଇବାର ସ୍ବପ୍ନ ଦେଖିଛି।

ଯେବେଠାରୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ’ର ଆରମ୍ଭ ହୋଇଛି ମୁଁ ଗ୍ରାମରେ ଥିବା ଗୋଷ୍ଠୀର ଅଧ୍ୟକ୍ଷ ଭାବେ କାମ କରିବା ଆରମ୍ଭ କରିଛି। ଗତ ୧୯ମାସ ହେବ ମୁଁ ବରକି ଗ୍ରାମର ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ‘ବ୍ୟାଙ୍କ ସଖୀ’ ରହିଛି।

ଚନ୍ଦାଦେବୀ କାର୍ଯ୍ୟକ୍ରମରେ ଭାଷଣ ଦେଉଥିବା ବେଳେ ମୋଦୀ ତାଙ୍କ ଭାଷଣର ପ୍ରଶଂସା କରି କହିଥିଲେ, ‘ଆପଣ ଭଲ ଭାଷଣ ଦେଉଛନ୍ତି। ନିର୍ବାଚନ ଲଢ଼ିବେ କି, ନିର୍ବାଚନ ଲଢ଼ିବା ପାଇଁ କେବେ ଚିନ୍ତା କରିଛନ୍ତି କି? ମୋଦୀଙ୍କ ଏହି ପ୍ରଶ୍ନର ଉତ୍ତର ଦେଇ ଚନ୍ଦାଦେବୀ କହିଥିଲେ,‘ମୁଁ କେବେ ନିର୍ବାଚନ ଲଢ଼ିବା କଥା ଚିନ୍ତା କରିନାହିଁ। ଯାହାବି ଶିଖିଛି ଆପଣଙ୍କ ଠାରୁ ଶିଖିଛି। ମୋର ଭାଗ୍ୟ କି ମୁଁ ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି ଆଉ କିଛି କହି ପାରୁଛି। ଏହା ମୋ ପାଇଁ ଗର୍ବର କଥା।
ଯାହାବି କରିବି ପରିବାର ସହିତ ରହିକି କରିବି। ପରିବାର ଠାରୁ ଦୂରରେ ରହି କୌଣସି କାମ କରିବା ମୋ ପକ୍ଷେ ସମ୍ଭବ ନୁହେଁ।’

Spread the love