ଲୋହିତ ସାଗରରେ ୨୫ଜଣ ଭାରତୀୟ ଥିବା ତୈଳ ଟ୍ୟାଙ୍କର୍‌ ଉପରେ ପଡ଼ିଲା ହାଉତୀ ଡ୍ରୋନ୍‌

କାଇରୋ: ଲୋହିତ ସାଗରରେ ୨୫ଜଣ ଭାରତୀୟ ଥିବା ଗୋଟାଏ ତୈଳବାହୀ ଜାହାଜ ଉପରେ ୟେମେନ୍‌ର ହାଉତୀ ବିଦ୍ରୋହୀମାନେ ନିକ୍ଷେପ କରିଥିବା ଡ୍ରୋନ୍‌ ପଡ଼ିଥିବା କଥା ଶନିବାର ଦିନ ଭାରତୀୟ ନୌସେନା କହିଛି। ଭାରତୀୟ ନୌସେନାର ଅଧିକାରୀମାନେ କହିଛନ୍ତି, ଉକ୍ତ ଟ୍ୟାଙ୍କର୍‌ ବା ତୈଳବାହୀ ଜାହାଜ ‘ଏମ୍‌. ଭି. ସାଇବାବା’ ଗାବୋନ୍‌ ଦେଶର ମାଲିକାନାରେ ଅଛି ଏବଂ ତାହାକୁ ଭାରତରେ ପଞ୍ଜିକୃତ କରାଯାଇ ନାହିଁ। ୟେମେନ୍‌ ସମୟ ଶୁକ୍ରବାର ସନ୍ଧ୍ୟା ୮ଟା ବେଳେ ‘ୟୁଏସ୍‌ ସେଣ୍ଟ୍ରାଲ୍‌ କମାଣ୍ଡ୍‌’ (ସେଣ୍ଟ୍‌କମ୍‌) ଆକ୍ରମଣ ଖବର ପାଇବା ପରେ ରିପୋର୍ଟ କରିଛି ଯେ, ଏଥିରେ କେହି ମୃତାହତ ହୋଇ ନାହାନ୍ତି। ‘ଡ୍ରୋନ୍‌’ ଆକ୍ରମଣ ପରେ ଆସିଥିବା ‘ଆପାତକାଳୀନ ଡାକ’ ଶୁଣି ଆମେରିକୀୟ ଯୁଦ୍ଧପୋତ ‘ଲେବୁନ୍‌’ ତୁରନ୍ତ ସେ ଟ୍ୟାଙ୍କର୍‌ ନିକଟକୁ ଯାଇଥିଲା। ଏହି ତୈଳବାହୀ ଜାହାଜଟି ଭାରତ ଅଭିମୁଖେ ଆସୁଛି। ଆମେରିକୀୟ ଯୁଦ୍ଧପୋତଟି ସେ ଅଞ୍ଚଳରେ ପାଟ୍ରୋଲିଙ୍ଗ୍‌ କରୁଥିଲା।

କିନ୍ତୁ, ପୂର୍ବରୁ ‘ସେଣ୍ଟ୍‌କମ୍’ କହିଥିଲା ଯେ, ‘ଏମ୍‌ଭି ସାଇବାବା’ ହେଉଛି ଭାରତରେ ପଞ୍ଜିକୃତ ଅଶୋଧିତ ତୈଳବାହୀ ଟ୍ୟାଙ୍କର୍‌ ଜାହାଜ। କିନ୍ତୁ, ଭାରତୀୟ ନୌସେନା ତାହାକୁ ଅଗ୍ରାହ୍ୟ କରିଛି। ସେହିପରି, ନର୍‌ୱେରେ ପଞ୍ଜିକୃତ ‘ଏମ୍‌ଭି ବ୍ଲାମନେନ୍‌’ ନାମରେ ଆଉ ଏକ ଟ୍ୟାଙ୍କର୍‌ ମଧ୍ୟ ହାଉତୀ ଡ୍ରୋନ୍‌ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛି। ଏଥିରେ କେହି ମୃତାହତ ହୋଇ ନାହାନ୍ତି କି, କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ‘ସେଣ୍ଟ୍‌କମ୍‌’ କହିଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ମାସରୁ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଲୋହିତ ସାଗରରେ ଜାହାଜ ଉପରେ ଆକ୍ରମଣ ବୃଦ୍ଧି ପାଇଛି। ତେଣୁ, ଦୀର୍ଘ ଜଳଯାତ୍ରା ଓ ଅଧିକ ଇନ୍ଧନ ଖର୍ଚ୍ଚ ସହ୍ୟ କରି ପ୍ରମୁଖ ପଣ୍ୟବାହୀ ଜାହାଜ ଚଳାଚଳ କମ୍ପାନି ସବୁ ଆଫ୍ରିକାର ଦକ୍ଷିଣ ପ୍ରାନ୍ତ ବାଟେ ଜାହାଜ ଯାତାୟାତ ବ୍ୟବସ୍ଥା କରାଉଛନ୍ତି।

Spread the love