୩୦,୦୦୦ କର୍ମଚାରୀ ଛଟେଇ କରିବ ‘ଗୁଗଲ୍‌’: ରିପୋର୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ‘ଗୁଗଲ୍‌’ ଆହୁରି ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା ପାଇଁ ଯୋଜନା କରୁଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହା ହେଉଛି ବର୍ଷ ୨୦୨୩ରେ ‘ଗୁଗଲ୍‌’ର କର୍ମଚାରୀ ସଂଖ୍ୟା ହ୍ରାସ ଲାଗି ୪ର୍ଥ ଉଦ୍ୟମ। ହଜାର ହଜାର ପଦବୀ ଉଚ୍ଛେଦ କରାଯିବ ବୋଲି ଜାନୁଆରି ମାସରେ କହି ଶେଷରେ ପ୍ରାୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ ‘ଗୁଗଲ୍‌’ ଛଟେଇ କରିଥିଲା। ‘ଆଲ୍‌ଫାବେଟ୍‌’ ମାଲିକାନାରେ ଥିବା ‘ଗୁଗଲ୍‌’ ତା’ର ବିଜ୍ଞାପନ ବା ‘ଆଡ୍‌ ସେଲ୍‌ସ୍‌ ୟୁନିଟ୍‌’କୁ ପୁର୍ନବ୍ୟବସ୍ଥିତ କରିବ ବୋଲି ମଙ୍ଗଳବାର ଦିନ ‘ଦି ଇନ୍‌ଫମେସନ୍‌’ ରିପୋର୍ଟ କରିଛି।

ଏ ବିଷୟରେ ଜଣାଥିବା ସୂତ୍ରରୁ ତଥ୍ୟ ସଂଗ୍ରହ କରି ଲେଖାଯାଇଥିବା ଉକ୍ତ ରିପୋର୍ଟରେ କୁହାଯାଇଛି, ଆମେରିକାରେ ବଡ଼ ବଡ଼ ଗ୍ରାହକମାନଙ୍କର ବିଜ୍ଞାପନ ତଦାରଖ କରୁଥିବା ସିନ୍‌ ଡାଉନି କହିଛନ୍ତି, ‘ଆଡ୍‌ ସେଲ୍‌ସ୍‌ ୟୁନିଟ୍‌’କୁ ପୁର୍ନବ୍ୟବସ୍ଥିତ କରାଯିବ ବୋଲି ଗତ ସପ୍ତାହରେ ବସିଥିବା ବିଭିନ୍ନ ବିଭାଗର ବୈଠକରେ ସ୍ଥିର କରାଯାଇଛି।

କିନ୍ତୁ, କର୍ମଚାରୀ ଛଟେଇ ହେବେ କି, ନାହିଁ ସେ ବିଷୟରେ ସେ କିଛି କହିନାହାନ୍ତି।

‘ଗୁଗଲ୍‌’ର ଯୋଜନା ବିଷୟରେ ଧାରଣା ଥିବା ଅନ୍ୟ ଏକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପ୍ରମୁଖ ବିଜ୍ଞାପନଦାତାଙ୍କ ତଦାରଖ କରୁଥିବା ତା’ର ବଡ଼ ‘କଷ୍ଟମର୍‌ ସେଲ୍‌ସ୍‌ ୟୁନିଟ୍‌’କୁ ପୁର୍ନବ୍ୟବସ୍ଥିତ କରାଯିବାକୁ ଥିବାରୁ କର୍ମଚାରୀ ଛଟେଇ ସମ୍ଭାବନା ରହିଛି। ତେଣୁ ସୀମିତ କର୍ମଚାରୀଙ୍କୁ ନେଇ ‘ଗୁଗଲ୍‌’ କାର୍ଯ୍ୟ ଚଳାଇବ।

ଏ ସଂକ୍ରାନ୍ତରେ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ଅନୁସନ୍ଧାନ କରିଥିଲେ ବି ‘ଗୁଗଲ୍‌’ ତୁରନ୍ତ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ।

Spread the love