ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ପରାସ୍ତ କରି ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ମୁମ୍ବାଇ: ଆଜି ମୁମ୍ବାଇସ୍ଥିତ ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଚାଲିଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଟିମ୍‌କୁ ୮ ୱିକେଟ୍‌ରେ ପରାସ୍ତ କରି ଭାରତର ମହିଳା କ୍ରିକେଟ୍‌ ଟିମ୍ ଇତିହାସ ସୃଷ୍ଟି କରିଛି। ଏହି ୪ ଦିବସୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ଚତୁର୍ଥ ଇନିଙ୍ଗ୍ସ୍‌ରେ ଭାରତର ମହିଳା କ୍ରିକେଟ୍‌ ଟିମ୍‌ ୧୮.୪ ଓଭର୍‌ରେ ୨ ୱିକେଟ୍‌ ବିନିମୟରେ ନିର୍ଦ୍ଧାରିତ ୭୫ ରନ୍‌ ସଂଗ୍ରହ କରି ଏହି ଐତିହାସିକ ବିଜୟ ହାସଲ କରିଛି। ଏଥିରେ ୬୧ ବଲ୍‌ରେ ୩୮ ରନ୍‌ କରି ସ୍ମୃତି ମନ୍ଧନା ନଟ୍‌ଆଉଟ୍‌ ରହିଛନ୍ତି। ଚୌକା ମାରି ମ୍ୟାଚ୍‌ରେ ବିଜୟ ହାସଲ କରାଇଥିବା ମନ୍ଧନା କହିଛନ୍ତି, ଖେଳ ସେତେ କଠିନ ନ ଥିଲା। ତୃତୀୟ ଓ ଚତୁର୍ଥ ଦିବସରେ ଖେଳର ପରିସ୍ଥିତି ବଦଳି ଯିବ ବୋଲି ଭାବୁଥିଲୁ। କିନ୍ତୁ, ଧୈର୍ଯ୍ୟ ଧରିଲେ, କ‌ୌଣସି କଥା କଠିନ ଲାଗେ ନାହିଁ। ସଂକ୍ଷିପ୍ତ ସ୍କୋର୍‌ ହିସାବରେ ଦେଖିଲେ, ପ୍ରଥମ ଓ ଦ୍ବିତୀୟ ଇନିଙ୍ଗ୍‌ସ୍‌ରେ ଯଥାକ୍ରମେ ୨୧୯ ଓ ୨୧୬ କରିଥିବା ଅଷ୍ଟ୍ରେଲିଆ ଟିମ୍‌କୁ ଭାରତ ୭୫/୨ ଓ ୪୦୬ ରନ୍‌ କରି ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି ଟେଷ୍ଟ୍‌ମ୍ୟାଚ୍‌ ହେଉଛି ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ପ୍ରଥମ ବିଜୟ।

ଆଜିର ଖେଳ ସଂକ୍ରାନ୍ତରେ ‘ଏକ୍ସ୍‌’ କରି ଭାରତର ପୂର୍ବତନ କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ କହିଛନ୍ତି, ଏହା ଅତି ଗୁରୁତ୍ବପୂର୍ଣ୍ଣ ବିଜୟ। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଅତୁଳନୀୟ ଟେଷ୍ଟ୍‌ ବିଜୟ ନିମନ୍ତେ ଟିମ୍‌ର ସବୁ ଖେଳାଳିଙ୍କୁ ଧନ୍ୟବାଦ।

Spread the love