ତାଇୱାନ ସୀମା ଅତିକ୍ରମ କଲା ଚୀନର ୮ ଯୁଦ୍ଧ ଜାହାଜ

ସୀମା ବିବାଦକୁ ନେଇ ଚୀନ ସର୍ବଦା ଚର୍ଚ୍ଚାରେ ରହିଛି । ଗୋଟିଏ ପଟେ ଭାରତ ସହ ସୀମା ବିବାଦକୁ ନେଇ ଚୀନ ନିନ୍ଦିତ ହେଉଥିବା ବେଳେ ଏବେ ପଡୋଶୀ ରାଷ୍ଟ୍ର ତାଇୱାନ ସହ ସୀମା ବିବାଦକୁ ନେଇ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି । ଏହି କ୍ରମରେ ଏବେ ଚୀନର ୮ଟି ଯୁଦ୍ଧ ଜାହାଜ ତାଇୱାନ ସୀମା ଅତିକ୍ରମ କରି ଦେଶ ଭିତରକୁ ପ୍ରବେଶ କରିଛି ।ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କି ଚୀନର ଜେ-୧୦, ଜେ-୧୧ ଓ ଜେ-୧୬ ଯୁଦ୍ଧ ବିମାନ ଜଲଡମରଧ୍ୟର ଉତ୍ତର ଓ କେନ୍ଦ୍ର ମଧ୍ୟ ରେଖା ଅତିକ୍ରମ କରିଛି । ଏହାକୁ ନଜରରେ ରଖି ତାଇୱାନ ତରଫରୁ ନଜର ରଖିବାକୁ ସେନାକୁ ସଜାଗ କରାଯାଇଛି ।

ସେପଟେ ଗୁଇନ୍ଦାଗିରି ପାଇଁ ଚୀନ ଦ୍ୱାରା ବେଲୁନ ଉପଯୋଗ କରାଯାଉଛି । ଚଳିତ ବର୍ଷ ଫେବୃଆରୀ ମାସରେ ଏହି ପ୍ରସଙ୍ଗ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଥିଲା । ଏହି ସମୟରେ ଆମେରିକା ତରଫରୁ ଚୀନ ଦ୍ୱାରା ପ୍ରେରିତ ହୋଇଥିବା ଏକ ବେଲୁନକୁ ଖସାଇ ଦେଇଥିଲା । ସେହି ସମୟରେ ଚୀନ କହିଥିଲା କି ଏହି ବେଲୁନ ଏକ ନାଗରିକ ଜାହାଜ ଥିଲା ଓ ତାହା ଭୁଲରେ ବାଟବଣା ହୋଇଯାଇଥିଲା ।

ଗୋଟିଏ ପଟେ ତାଇୱାନ ତରଫରୁ ୨୦୨୪ ଜାନୁଆରୀ ୧୩ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ଜାରି ରଖିଛି । ସେପଟେ ଚୀନର ଏଭଳି ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି । ତାଇୱାନ ଆଶଂକା କରିଛି କି ନିର୍ବାଚନକୁ ପ୍ରଭାବିତ କରିବାକୁ ଚୀନ ଏଭଳି କାର୍ଯ୍ୟ କରୁଛି । ଅନ୍ୟପଟେ ଏହି ବିବାଦ ପଛରେ ଏକ ପ୍ରମୁଖ କାରଣ ହେଉଛି ଚୀନ କହୁଛି ଯେ ତାଇୱାନ ହେଉଛି ଚୀନର ଏକ ଅଂଶ ଯାହା ପୁଣି ଚୀନରେ ବିଲୟ ହେବ । ସେପଟେ ତାଇୱାନ ନିଜକୁ ଏକ ସ୍ୱାଧୀନ ଦେଶ ବୋଲି ମାନ୍ୟତା ଦେଇଛି । ତାଇୱାନର ନିଜର ସମ୍ବିଧାନ ରହିଛି ଓ ତାଇୱାନ ନାଗରିକଙ୍କ ଦ୍ୱାରା ନିର୍ବାଚିତ ସରକାର ସେଠାରେ ଶାସନ କରୁଛି ।

Spread the love