ବିରୋଧୀଙ୍କୁ ପାଣ୍ଡିଆନଙ୍କ ଟାର୍ଗେଟ୍: କହିଲେ ଧାମନଗରରେ ନିର୍ବାଚନରେ ପରେ ନେତାଙ୍କୁ ମିଳୁନି ଦେଖା ଦର୍ଶନ

ପୁଣି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ । ଭଦ୍ରକ ଗସ୍ତ ବେଳେ ଧାମନଗରରେ କାହା ନାଁ ନ ନେଇ ପରୋକ୍ଷରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ସେ କହିଛନ୍ତି,ଧାମନଗର ଉପନିର୍ବାଚନ ବେଳେ ଯେଉଁମାନେ ୫-୫ ଥର ଆସିଥିଲେ । ଗାଁ ଗାଁରେ ବୁଲି ଲୋକଙ୍କୁ ଭେଟିଥିଲେ । ଆପଣଙ୍କୁ ଶହେ ଦୁଇଶହ ପ୍ରତିଶ୍ରୃତି ଦେଇଥିଲେ । କିନ୍ତୁ ଉପନିର୍ବାଚନ ସରିବାର ବର୍ଷେରୁ ଅଧିକ ଦିନ ହେଲାଣି । କିନ୍ତୁ ଧନ୍ୟବାଦ ଦେବା ପାଇଁ ପ୍ରଚାରର ମଙ୍ଗ ଧରିଥିବା ବ୍ୟକ୍ତି ଆସିଲେ ନାହିଁ । ଯେଉଁ ପ୍ରତିଶ୍ରୃତି ଦେଇଥିଲେ ତାହା ପାଳନ କଲେ ନାହିଁ । ସଂପୃକ୍ତ ବ୍ୟକ୍ତି ଶହେ ଥର ଓଡିଶା ଆସିଲେଣି, କିନ୍ତୁ ଧାମନଗରକୁ ଭୁଲିଗଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଧାମନଗରକୁ ଭୁଲିନାହାନ୍ତି ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ଭି.କେ.ପାଣ୍ଡିଆନ ଆଜି ଭଦ୍ରକ ଗସ୍ତରେ ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଚାନ୍ଦବାଲି ଆସି ଆରଡିରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିଥିଲେ । ଆରଡିରେ ବାବା ଆଖଣ୍ଡଳମଣିଙ୍କ ୨ୟ ପର୍ଯ୍ୟାୟ ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର । ଏହାସହ ଧାନଖଣିଆ ସାଳନ୍ଦୀ ନଦୀଘାଟରେ ସେତୁ ନିର୍ମାଣ ପାଇଁ ୮୦ କୋଟି ଟଙ୍କା ମଂଜୁର ହୋଇଛି । ସେହିଭଳି ଆସନ୍ତା ଫେବୃଆରୀରୁ ଚାନ୍ଦବାଲି ବ୍ଲକ ସହ ଭଦ୍ରକ ଜିଲ୍ଲାରେ ଲକ୍ଷ୍ମୀବସ ସେବା ଆରମ୍ଭ ହେବ ବୋଲି କହିଛନ୍ତି ଭି.କେ. ପାଣ୍ଡିଆନ ।

Spread the love