ଦିନକରେ ବଦଳିଗଲା ଖେଳ: ପୁଣି ଥରେ ଆଦାନୀଙ୍କୁ କାଟି ଧନୀ ହୋଇଗ‌ଲେ ଅମ୍ବାନୀ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପର ଅକ୍ଷ୍ୟକ୍ଷ ତଥା ବିଶିଷ୍ଟ ବ୍ୟବସାୟୀ ଗୌତମ ଆଦାନୀ ଗତକାଲି ପୁଣି ଥରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିଲେ। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ମୂଲ୍ୟ ଗତ ଦୁଇ ଦିନ ମଧ୍ୟରେ ୭.୬୭ ବିଲିୟନ ବୃଦ୍ଧି ପାଇବା ପରେ ଶୁକ୍ରବାର ଦିନ ସକାଳ ୯ଟା ୩୦ ସୁଦ୍ଧା ସୁଦ୍ଧା ତାଙ୍କର ସର୍ବମୋଟ ସଂପତ୍ତିର ମୂଲ୍ୟ ୯୭.୬ ବିଲିୟନ ଡଲାରରେ ପହଞ୍ଚିଥିଲା। ସେ ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରି ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଦେଇଥିଲେ। ମୁକେଶ ଅମ୍ବାନୀ ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତି ପାଲଟିଥିଲେ, ଯାହାଙ୍କ ସର୍ବମୋଟ୍‌ ସମ୍ପତ୍ତିର ମୂଲ୍ୟ ଗତକାଲି ୯୭ ବିଲିୟନ ଡଲାର ଥିଲା।

ହେଲେ ଆଜି ପୁଣି ଥ‌ରେ‌ ଖେଳ ବଦଳିଯାଇଛି। ଦିନକ ଭିତରେ ହିଁ ଆଦାନୀଙ୍କୁ ପଛରେ ପକାଇ ପୁଣି ଥରେ ନିଜ ସ୍ଥାନକୁ ଫେରିଛନ୍ତି ଅମ୍ବାନୀ। ଗତକାଲି ଆଦାନୀଙ୍କ ସଂପତ୍ତିର ମୂଲ୍ୟରେ ଅହେତୁକ ବୃଦ୍ଧି ହେତୁ ବିଶ୍ୱର କୋଟିପତି ତାଲିକାରେ ତାଙ୍କର ମାନ୍ୟତା ମଧ୍ୟ ଉନ୍ନତ ହୋଇଥିଲା। ବିଲେନିୟର ଇଣ୍ଡେକ୍ସର ବିଶ୍ୱ ବିଲେନିୟର ତାଲିକାରେ ଗୌତମ ଆଦାନୀ ଦ୍ୱାଦଶ ସ୍ଥାନରେ ପହଞ୍ଚିଥିଲେ। ଏହି ରାଙ୍କରେ ମୁକେଶ ଅମ୍ବାନୀ ପଛରେ ପଡ଼ିବା ସ୍ବାଭାବିକ ଥିଲା। ତାଲିକାରେ ମୁକେଶ ଅମ୍ବାନୀ ଦ୍ୱାଦଶ ସ୍ଥାନରୁ ୧୩ତମ ସ୍ଥାନକୁ ଖସି ଯାଇଥିଲେ।

ହେଲେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ, ଆଜି ଅମ୍ବାନୀ ୧୨ ନମ୍ବରରେ ଥିବା ବେଳେ ୧୪ ନମ୍ବରରେ ଅଛନ୍ତି ଆଦାନୀ। ଅମ୍ବାନୀଙ୍କ ସଂପତ୍ତିର ମୂଲ୍ୟ ୯୭.୫ ବିଲିୟନ୍‌ ଡଲାର ‌ହୋଇଥିବା ବେଳେ ଆଦାନୀଙ୍କ ସଂପତ୍ତିର ମୂଲ୍ୟ ୯୪.୫ ବିଲିୟନ୍‌ ଡଲାର ବୋଲି ଜଣାପଡ଼ିଛି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ମୁକେଶ ଅମ୍ବାନୀ ଓ ଗୌତମ ଆଦାନୀଙ୍କ  ବ୍ୟତୀତ ଅନ୍ୟ ଦୁଇଜଣ ଭାରତୀୟ ବ୍ୟବସାୟୀ ମଧ୍ୟ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।   ଅପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସାପୁର ମିଷ୍ଟ୍ରି ୩୮ ନମ୍ବର ସ୍ଥାନରେ ରହିଛନ୍ତି। ଯାହାଙ୍କ ସଂପତ୍ତିର ମୂଲ୍ୟ ୩୫ ବିଲିୟନ ଡଲାର। ସେହିପରି ଆଇଟି ସେବା ପ୍ରଦାନକାରୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ସହ-ପ୍ରତିଷ୍ଠାତା ଶିବ ନାଦର ୩୩.୨ ବିଲିୟନ ଡଲାର ସହିତ ୪୫ ନମ୍ବରରେ ଅଛନ୍ତି।

Spread the love