ଜନଜାତି ସଂସ୍କୃତି ଓ କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: ମନ୍ତ୍ରୀ

ସୁନ୍ଦରଗଡ଼: ‘ଲୋପ ପାଇବାକୁ ଯାଉଥିବା ଜନଜାତି ସଂସ୍କୃତିକୁ ଉଜ୍ଜୀବିତ କରିବା ସହ କ୍ରୀଡ଼ାର ଉନ୍ନତି ଓ ଓ ଆଦିବାସୀଙ୍କ ସର୍ବବିଧ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ସୁନ୍ଦରଗଡ଼ ସମେତ ୯ଟି ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟ କରୁଛି। ଅଗ୍ରାଧିକାରଭିତ୍ତିରେ ରାଜ୍ୟ ସରକାର ପରିଷଦକୁ ଅନୁଦାନ ଯୋଗାଇ ଆଦିବାସୀଙ୍କୁ ଧାଡ଼ିର ଆଗକୁ ଆଣିବାକୁ ଉଦ୍ୟମ କରାଯାଉଛି’। ବୁଧବାର ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟ ପରିସରେ ଆୟୋଜିତ ଜନଜାତି ସାଂସ୍କୃତିକ ନୃତ୍ୟ ଆଭୂଷଣ, ବାଦ୍ୟଯନ୍ତ୍ର, ଓ କ୍ରୀଡ଼ା ଉପକରଣ ବଣ୍ଟନ ସମାରୋହରେ ମୁଖ୍ୟଅତିଥି ଭାବେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସମ୍ମାନିତ ଅତିଥି ରୂପେ ପୂର୍ବତନ ସାଂସଦ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡ. ଦିଲୀପ ତିର୍କୀ ଯୋଗ ଦେଇ ଏହା କହିଛନ୍ତି।

ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ. ବିନୟ କୁମାର ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ଉପସଭାପତି କମଳ ଲାକ୍ରା, ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଶେଷଜ୍ଞ ସଭ୍ୟ ବୈକୁଣ୍ଠ ନାଏକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଧିରେନ୍ଦ୍ର କୁମାର ସେଠୀ, ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ୟକ୍ଷା କୁଞ୍ଜଲତା ଭିତିରିଆ, ପରିଷଦ ବିଶେଷଜ୍ଞ ସଭ୍ୟା ରୀନା ମାଝୀ, ମୈଥିଲି ବେହେରା, ସଭ୍ୟ ରାଜୁ ମହାନ୍ତି, ଏତୱା ବାଗ, ଜିଲ୍ଲା ପରିଷଦ ସଭ୍ୟ ବୈଷ୍ଣବ ମାଝୀ, ମନୋଜ ବରୁଆ, ବିନୋଦ କୁଜୁର, ଜୟନ୍ତୀ ଏକ୍କା, ପୌର ଉପାଧ୍ୟକ୍ଷ ଲଲାଟେନ୍ଦୁ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

ଉତ୍ସବରେ ୨୫ଟି ଆଦିବାସୀ ଦଳକୁ ସାଂସ୍କୃତିକ ନୃତ୍ୟ ଆଭୂଷଣ, ବାଦ୍ୟଯନ୍ତ୍ର ଓ ହକି ଦଳକୁ ହକି ଉପକରଣ ଯୋଗାଇ ଦିଆଯାଇଥିଲା। ଏହା ପରେ ଫେବ୍ରୁଆରି ୧୯ ଯାଏ ଚାଲିବାକୁ ଥିବା ପ୍ରଥମ ପର୍ଯ୍ୟାୟ ବିତରଣ କାର୍ଯ୍ୟକ୍ରମରେ ୩୦ ତାରିଖ ସଦର ନିର୍ବାଚନମଣ୍ଡଳୀର ସର୍ଗିପାଲି ଉଜ୍ବଳପୁରରେ, ଫେବ୍ରୁଆରି ୨ରେ ବାଲିଶଙ୍କରା, ୫ ତାରିଖରେ ବଡ଼ଗାଁ, ୮ ତାରିଖରେ ରାଜଗାଙ୍ଗପୁର, ୧୨ରେ କୁଆଁରମୁଣ୍ଡା, ୧୫ରେ ଲାଠିକଟା ଓ ୧୯ରେ ବଣାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପରିସରରେ ଆଦିବାସୀ ଦଳଗୁଡ଼ିକୁ ଏସବୁ ସାମଗ୍ରୀ ଦିଆଯିବ ବୋଲି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ. ବିନୟ କୁମାର ଟପ୍ପୋ ସୂଚନା ଦେଇଥିଲେ। ଲିପ୍ସା ଦାସ, ମୌସୁମୀ ତ୍ରିପାଠୀ ମଞ୍ଚ ସଞ୍ଚାଳନ କରିଥିଲେ।

Spread the love