ଆସନ୍ତା ସପ୍ତାହରେ ବିଜେପି ଘୋଷଣା କରିପାରେ ୧୦୦ପ୍ରାର୍ଥୀଙ୍କ ନାଁ । ଓଡିଶାରୁ କିଏ ହେବେ ପ୍ରାର୍ଥୀ?

ଲୋକସଭା ନିର୍ବାଚନ ପାଇଁ ଖୁବଶିଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି । ୧୦୦ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ ହୋଇସାରିଥିବା ବେଳେ ଘୋଷଣା ପାଇଁ ଔପଚାରିକତା ବାକି ଥିବା ସୂଚନା ମଳିଛି । ଆସନ୍ତା ସପ୍ତାହରେ ଏହି ୧୦୦ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିପାରେ । ଓଡ଼ିଶା ଲୋକସଭା ଆସନ ପାଇଁ ବିଜେପି କାହାକୁ ପ୍ରାର୍ଥୀକୁ କରିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ୧୦୦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ । ଏଥିମଧ୍ୟରୁ ଓଡ଼ିଶାର କିଛି ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିପାରେ । ଓଡ଼ିଶାର ୫ଟି ପ୍ରମୁଖ ବା ଚର୍ଚ୍ଚିତ ଲୋକସଭା ନିର୍ବାଚନ ମଣ୍ଡଳୀ କଟକ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଓ ସୁନ୍ଦରଗଡ଼ରୁ ବିଜେପିର ପ୍ରାର୍ଥୀ କିଏ ହେବେ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକିଛି ମାସ ଧରି ସମ୍ବଲପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ଘନଘନ ଗସ୍ତ କରୁଛନ୍ତି । ତେଣୁ ସମ୍ବଲପୁର ଲୋକସଭା ଆସନ ପାଇଁ ଧର୍ମେନ୍ଦ୍ରଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି । ୨୦୧୪ରୁ କେନ୍ଦ୍ରରେ ବିଜେପି ସରକାର ଗଠନ ପରେ ଧର୍ମେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ପ୍ରଥମେ ପେଟ୍ରୋଲିୟମ ବିଭାଗ ଏବଂ ଏବେ ଶିକ୍ଷା ବିଭାଗରେ ଅଛନ୍ତି ଧର୍ମେନ୍ଦ୍ର । ଚଳିତ ମାସ ସମ୍ବଲପୁରରେ ୬୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ସମ୍ବଲପୁର ରେଳଷ୍ଟେସନର ନବୀକରଣର ଶୁଭ ମଧ୍ୟ ଦିଆଯାଇଥିଲା । ଏହି ସମୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

– ପୁରୀ ଲୋକସଭା ଆସନ ପାଇଁ ସମ୍ବିତ ପାତ୍ରଙ୍କୁ ପୁଣିଥରେ ପ୍ରାର୍ଥୀ କରିପାରେ ବିଜେପି । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କ ଠାରୁ ମାତ୍ର ୧୧ହଜାରରୁ ଅଧିକ ଆସନରେ ପରାସ୍ତ ହୋଇଥିଲେ ସମ୍ବିତ । ପିନାକୀ ୫ଲକ୍ଷ ୩୮ହଜାର ୩୨୧ ଭୋଟ୍ ପାଇଥିବା ବେଳେ ସମ୍ବିତ ୫ଲକ୍ଷ ୨୬ହଜାର ୬୦୭ ଭୋଟ୍ ପାଇଥିଲେ । ଯଦି ଭୋଟ୍ ହାର ଦେଖିବା, ତାହେଲେ ପିନାକୀ ମିଶ୍ରଙ୍କୁ ୪୭ ଦଶମିକ ୪୦ ପ୍ରତିଶତ ଏବଂ ସମ୍ବିତଙ୍କୁ ୪୬ ଦଶମିକ ୩୭ ଭୋଟ୍ ମିଳିଥିଲା ।

– କଟକ ଲୋକସଭା ନିର୍ବାଚନ ପାଇଁ ୨୦୧୯ରେ ବିଜେପି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ଏଥର କଟକରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିପାରେ ଦଳ । ସିଧାସଳଖ ରାଜନୀତି କରିନଥିବା ଡାକ୍ତର ମହାପାତ୍ରଙ୍କୁ ଗତବର୍ଷ ରାଜ୍ୟ ବିଜେପିର ଉପସଭାପତି କରାଯାଇଥିଲା । ଏହା ପରେ ସେ କଟକ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା । ଡାକ୍ତର ମହାପାତ୍ରଙ୍କ ଲୋକପ୍ରିୟତା ଓ ଜନସମ୍ପର୍କକୁ ଆଧାର କରି ବିଜେପି ନିର୍ବାଚନ ରାଜନୀତିରେ ଓହ୍ଲାଇପାରେ । ଯଦି ଡାକ୍ତର ମହାପାତ୍ର କଟକ ଲୋକସଭାରୁ ବିଜେପି ପାଇଁ ପ୍ରାର୍ଥୀ ହୁଅନ୍ତି, ତେବେ ମୁକାବିଲା କେମିତି ହେବ? କାରଣ, ଏହି ଆସନରୁ ଗତଥର ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ପ୍ରାର୍ଥୀ ହୋଇଥିଲେ । ଯଦିଓ ପ୍ରକାଶ ମିଶ୍ରଙ୍କୁ ଭଲ ଭୋଟ୍ ମିଳିଥିଲା, ତଥାପି ନିର୍ବଚନ ଜିତିପାରିନଥିଲେ ।

– ସେହିପରି ଅପରାଜିତା ଷଡଙ୍ଗୀଙ୍କୁ ପୁଣିଥରେ ଭୁବନେଶ୍ୱରରୁ ପ୍ରାର୍ଥୀ କରିପାରେ ଦଳ । ୨୦୧୯ ନିର୍ବାଚନରେ ଅରୁପ ପଟ୍ଟନାୟକଙ୍କୁ ୨୨ହଜାରରୁ ଅଧିକ ଭୋଟ୍ରେ ହରାଇଥିଲେ ଅପରାଜିତା । ସାଂସଦ ହେବା ପରଠାରୁ ଭୁବନେଶ୍ୱରରେ ଅପରାଜିତାଙ୍କ ଲୋକପ୍ରିୟତା ମଧ୍ୟ ଖୁବ୍ ବଢ଼ିଛି ।

– ଅନ୍ୟପକ୍ଷରେ ଜୁଏଲ ଓରାମଙ୍କୁ ପୁଣିଥରେ ସୁନ୍ଦରଗଡ଼ରୁ ଟିକେଟ୍ ମିଳିବା ନେଇ ଚର୍ଚ୍ଚା ହୋଉଛି । ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ ଜୁଏଲ୍ । ବିଭିନ୍ନ ସମୟରେ କେନ୍ଦ୍ରରେ ଆଦିବାସୀଙ୍କ କଥା ଉଠାଇଛନ୍ତି ଜୁଏଲ । ସୁନ୍ଦରଗଡ଼ର ଆଦିବାସୀ ଭୋଟ୍ ଜୁଏଲଙ୍କ ପାଖରେ ଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ।

Spread the love