ମାଲକାନଗିରିରେ ପୁଲିସକୁ ବଡ ସଫଳତା, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରିରେ ମାଓବାଦୀଙ୍କ ବିରୋଧରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ଅପରେସନରେ ମାଓବାଦୀଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତହୋଇଥିବା ନେଇ ସୂଚନା ଦେଇଛନ୍ତି ପୁଲିସ୍ ଡିଜି ଅଭୟ ।  ମାଓବାଦୀମାନେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଲୁଚାଇଥବା ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଓଡ଼ିଶା ପୁଲିସ୍ ନେତୃତ୍ୱରେ ଆନ୍ଧ୍ରପ୍ରଦେଶ ପୁଲିସ୍, ବିଏସଏଫ୍, ସିଆରପିଏଫ୍ ଏବଂ ଏସଓଜି ମିଳିତ ଭାବେ ଏହି ଚଢ଼ଉ କରିଥିଲେ । ଗତ ଜାନୁଆରି ୧୫ ତାରିଖରେ ମାଲକାନଗିରିରେ ମାଓବାଦୀଙ୍କ ସହ ଏକ୍ସଚେଞ୍ଜ୍ ଫାୟାର୍ ହୋଇଥିଲା । ଏହି ଅପରେସନ ତିନି ଚାରି ଦିନ ଧରି ଚାଲିଥିଲା । ଏହି ସମୟରେ ବିଚ୍ଛିନ୍ନାଞ୍ଚଳ ଗସ୍ତରେ ଯାଇଥିଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ।  ମାଓବାଦୀଙ୍କ ଗତିବିଧି ସଂପର୍କରେ ଥାନା ଅଧିକାରୀମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଚ୍ଛିନ୍ନାଞ୍ଚଳରେ କେଉଁଭଳି ସ୍ଥିତି ରହିଛି ତାହା ଗଣମାଧ୍ୟମକୁ ଜଣାଇଥିଲେ। ଜିଲ୍ଲାରେ ମାଓବାଦୀଙ୍କ କାର୍ଯ୍ୟକଳାପ କମିବାରେ ଲାଗିଛି। ବିଚ୍ଛିନ୍ନାଞ୍ଚଳରେ ମଧ୍ୟ ମାଓବାଦୀ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛନ୍ତି। ତେଣୁ ବିକାଶମୂଳକ କାର୍ଯ୍ୟକୁ ଗୁରୁତ୍ବ ଦେଇ ମାଓ ଦମନକୁ ତ୍ବରାନ୍ବିତ କରାଯିବ ବୋଲି ଡିଜିପି ଏଠାରେ କହିଥିଲେ।

Spread the love