ନୋଇଡ଼ାରେ ମୃତ ଓଡ଼ିଆ ଶ୍ରମିକଙ୍କୁ ଜନ୍ମମାଟି ଆଣିଲା ‘ମୋ ପରିବାର

‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଅଣାଯାଇଛି । ଗଜପତି ଜିଲ୍ଲା ଘୋରଣୀ ଅନ୍ତର୍ଗତ ଲାଲୁସାହିର ଅଭିମନ୍ୟୁ ଦୋରା(୨୫) ନାମକ ଜଣେ ଯୁବକ ସୁଦୂର ନୋଇଡ଼ାର ଏକ ସଂସ୍ଥାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଶନିବାର ଦିନ ହଠାତ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ଖବର ପାଇ ଅଭିମନ୍ୟୁଙ୍କ ଗରିବ ପରିବାରବର୍ଗ ଦୁଃଖରେ ଭାଙ୍ଗିପଡ଼ି ଅସହାୟ ହୋଇଯାଇଥିଲେ । ସେଠାରୁ ଗାଁକୁ ଶବ ଆଣିବା ସେମାନଙ୍କ ପକ୍ଷେ ଆଦୌ ସମ୍ଭବ ନଥିଲା । ନିରୁପାୟ ହୋଇ ଭଗବାନଙ୍କ ଭରସାରେ ପଡ଼ିଥିବା ବେଳେ ଏହି ଖବର ‘ଓଡ଼ିଶା-ମୋ ପରିବାର’ ନଜରକୁ ଆସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଅବଗତ ହେଲା ପରେ ତତ୍ପରତା ପ୍ରକାଶ ପାଇଥିଲା । ତୁରନ୍ତ ନୋଇଡ଼ା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇ ଶବ ଫେରାଇ ଆଣିବାର ବନ୍ଦୋବସ୍ତ କରାଯାଇଥିଲା । ଦିଲ୍ଲୀରେ ରହୁଥିବା କିଛି ଓଡ଼ିଆ ଯୁବକ ଏବଂ ଭଦ୍ରବ୍ୟକ୍ତି ମଧ୍ୟ ଏଥିରେ ସହଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ‘ଓଡ଼ିଶା-ମୋ ପରିବାର’ ର ଆବାହକ ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଦିଲ୍ଲୀରୁ ଏୟାର ଇଣ୍ଡିଆ ବିମାନରେ ଅଭିମନ୍ୟୁଙ୍କ ଶବ ଅଣାଯାଇଥିଲା ଭୁବନେଶ୍ୱର । ‘ଓଡ଼ିଶା-ମୋ ପରିବାର’ ର ଉପଦେଷ୍ଟା ବିବେକ ପଟ୍ଟନାୟକ, ସଭ୍ୟ ତଥା ବିଧାୟକ ସୁଶାନ୍ତ ରାଉତ, ସଭ୍ୟ ଭାରତୀ ସିଂ ଙ୍କ ସମେତ ଅନ୍ୟମାନେ ମୃତ ଶରୀରକୁ ବିମାନବନ୍ଦରରୁ ପାଛୋଟି ଆଣି ଆମ୍ବୁଲାନସ୍ ଯୋଗେ ତାଙ୍କ ଜନ୍ମମାଟିକୁ ପଠାଇଥିଲେ ।
‘ଓଡ଼ିଶା-ମୋ ପରିବାର’ ର ଏହି ବଦାନ୍ୟ କାର୍ଯ୍ୟରେ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଲାଣି ।

Spread the love