ସାହସିକତା ପାଇଁ ଓଡ଼ିଆ ପୁଅ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ମାର୍ଚ୍ଚ ୨୦୨୩ ରେ, ଯେତେବେଳେ ଓଏନଜିସି ଇନ୍ଧନ ଉତ୍ପାଦନ ଷ୍ଟୋରେଜ୍ ଏବଂ ଅଫଲୋଡିଂ ଜାହାଜରେ ଏକ ଜରୁରୀକାଳୀନ ପରିସ୍ଥିତି ବିଷୟରେ ଜଣାଇଲେ ସେତେବେଳେ ସେ ନିର୍ଭୟରେ ଲିଡ୍ ଡାଇଭର ଭାବରେ ବ୍ୟକ୍ତିଗତ ସୁରକ୍ଷାକୁ ଭୃକ୍ଷେପ ନ କରି ଏକ ବିପଜ୍ଜନକ ତଥା ଡାଇଭିଂ ଅପରେସନ କରିଥିବାରୁ ତାଙ୍କୁ ଆଜି ଏହି ସମ୍ମାନ ଦିଆଯାଇଛି | ଉଲ୍ଲେଖ ଥାଉ କି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଗତକାଲି ଆୟୋଜିତ ପ୍ରତିରକ୍ଷା ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେନା, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଯବାନମାନଙ୍କୁ ବୀରତା ପୁରସ୍କାର ପ୍ରଦାନ କରିଥିଲେ। ମୋଟ ୧୦ଟି କୀର୍ତ୍ତି ଚକ୍ର (୭ଟି ମରଣୋତ୍ତର) ଓ ୨୬ଟି ଶୌର୍ଯ୍ୟ ଚକ୍ର (୭ଟି ମରଣୋତ୍ତର) ପ୍ରଦାନ କରାଯାଇଥିଲା।

ପ୍ରତିବର୍ଷ ସାହସିକତା ପ୍ରଦର୍ଶନ କରୁଥିବା ସେନା, ସିଆରପିଏଫ, ଆଇଟିବିପି ଏବଂ ପୁଲିସର ଯବାନ ଓ ଅଧିକାରୀମାନଙ୍କୁ ବିଭିନ୍ନ ସାହସିକତା ପୁରସ୍କାରରେ ସମ୍ମାନିତ କରାଯାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମରଣୋତ୍ତର ଭାବେ ୭-୭ ଜଣ ସୁରକ୍ଷା କର୍ମୀଙ୍କୁ କୀର୍ତ୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର ପ୍ରଦାନ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ।

Spread the love