ଚେତନାର ଉତ୍ସ ଜାଣିବା ପାଇଁ ବିଜ୍ଞାନ ଏବେ ବି ଗବେଷଣାରତ: ବ୍ରଜେନ୍ଦ୍ର କୁମାର ସ୍ୱାମୀ

ଭୁବନେଶ୍ୱର : ବିଜ୍ଞାନ ଶହ ଶହ ବର୍ଷ ଧରି ପ୍ରଭାବଶାଳୀ ପ୍ରଗତି କରିଛି । କିନ୍ତୁ ଚେତନା କ’ଣ ଏବଂ କେବେ ଓ କେମିତି ଭୌତିକ ନିୟମ ସୃଷ୍ଟି ହେଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। କୋଲକାତା ସ୍ଥିତ ଭକ୍ତିବେଦାନ୍ତ ଇନ୍‌ଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ପରମ ପୂଜ୍ୟ ଭକ୍ତିସ୍ୱରୂପ ବ୍ରଜେନ୍ଦ କୁମାର ସ୍ୱାମୀ ମଙ୍ଗଳବାର ସୋଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ତଥା ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ପ୍ରେରଣା ମୂଳକ ଅଭିଭାଷଣ ମାଧ୍ୟମରେ ଏହା କହିଛନ୍ତି। ଅଜୀବ ବସ୍ତୁ ଓ ଚେତନାଯୁକ୍ତ ମନୁଷ୍ୟ ମଧ୍ୟରେ ଥିବା ପାର୍ଥକ୍ୟକୁ ପଦାର୍ଥ ବିଜ୍ଞାନ ଏପର୍ଯ୍ୟନ୍ତ ବୁଝାଇ ପାରି ନାହିଁ । ପଦାର୍ଥ ବିଜ୍ଞାନର ନିୟମ ଚେତନାର ଜଗତକୁ ବୁଝିବା ଅଥବା ବୁଝାଇବାରେ ସଂପୂର୍ଣ୍ଣ ଅସମର୍ଥ ଅଟେ ବୋଲି କାନପୁର ଆଇଆଇଟିର ପୂର୍ବତନ ଛାତ୍ର ସ୍ୱାମୀ ବ୍ରଜେନ୍ଦ୍ର କୁମାର ‘ପଦାର୍ଥ ବିଜ୍ଞାନ ଓ ଆଧ୍ୟାତ୍ମିକତା’ ଶୀର୍ଷକ ବକ୍ତୃତାରେ କହିଛନ୍ତି ।
ବିଖ୍ୟାତ ବୈଜ୍ଞାନିକ ଆଇଜାକ୍ ନିଉଟନ୍ ମହାକର୍ଷଣ ସୂତ୍ର ଆବିଷ୍କାର କରିଥିଲେ ମାତ୍ର ସେହି ସୂତ୍ରଗୁଡ଼ିକ ପୂର୍ବରୁ ଥିଲା । ତେବେ ପ୍ରଶ୍ନ ଉଠୁଛି ଯେ ସେହି ନିୟମ ତିଆରି କରିଛି କିଏ? ଏବଂ ଏହା ଏତେ ସଠିକ ଭାବେ କାର୍ଯ୍ୟ କରୁଛି କିପରି?
ଭକ୍ତିବେଦାନ୍ତ ଅନୁଷ୍ଠାନର ସଭାପତି ପରମପୂଜ୍ୟ ଭକ୍ତିସ୍ୱରୂପ ବ୍ରଜପତି ସ୍ୱାମୀ ମଧ୍ୟ ‘ସତତ ସୁଖ’ ଉପରେ ବକ୍ତବ୍ୟ ରଖିଥିଲେ । ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆଲୋଚିତ ପ୍ରସଙ୍ଗ ଉପରେ ଗଭୀର ଅନୁଧ୍ୟାନ କରିଥିବା ବ୍ରଜେନ୍ଦ କୁମାର ସ୍ୱାମୀ କହିଲେ ଯେ ପ୍ରାୟ ୮୦ ପ୍ରତିଶତ ବିଜ୍ଞାନ କାର୍ଯ୍ୟ କରୁଥିବାର କେହି ଦେଖିପାରନ୍ତି ନାହିଁ । ତଥାପି ଏହା କାର୍ଯ୍ୟ କରୁଥାଏ ।
ଉଦାହରଣ ଦେଇ ସେ ଏକ ଜ୍ୱଳନ୍ତ ମହମବତୀକୁ ଜଣେ ମନୁଷ୍ୟ ସହ ତୁଳନା କରି କହିଥିଲେ ଯେ ଉଭୟ ଦହନ ଇଞ୍ଜିନ୍ ଏବଂ ଦୁହିଁଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହଁ । କିନ୍ତୁ ମନୁଷ୍ୟର ସ୍ୱାଧୀନ ଇଚ୍ଛା ଓ ଆତ୍ମା ଅଛି । ଯେତେବେଳେ କୌଣସି ବସ୍ତୁ ଏକ ଆନତ ସମତଳରେ ଗଡ଼ିଥାଏ, ସେତେବେଳେ ଏହା ପଦାର୍ଥ ବିଜ୍ଞାନର ନିୟମ ମାନିଥାଏ । କିନ୍ତୁ ଜଣେ ମନୁଷ୍ୟ ଦୌଡୁଥିବା ସମୟରେ ସେତେବେଳେ ଅଟକିବେ ଯେତେବେଳେ ସେ ଅଟକିବାକୁ ଚାହିଁବେ । ଅର୍ଥାତ୍ ସେ ନିଜ ଚେତନା ଦ୍ୱାରା ନିର୍ଦ୍ଦେଶିତ ହୋଇଥାନ୍ତି ବୋଲି ସ୍ୱାମୀ କହିଥିଲେ । ସେ ପ୍ରକାଶ କରିଥିଲେ ଯେ ବିଜ୍ଞାନ ଦ୍ୱାରା ଏହାକୁ ବ୍ୟାଖ୍ୟା କରାଯାଇ ପାରିବ ନାହିଁ । ମଣିଷର ସ୍ୱାଧୀନ ଇଚ୍ଛା କେଉଁଠୁ ଆସୁଛି? ଏହା ଆତ୍ମାର ଗୁଣଧର୍ମ ଏବଂ ଗତ ୫୦୦ ବର୍ଷ ଧରି ଏହାର କୌଣସି ବ୍ୟାଖ୍ୟା ଆମ ପାଖରେ ନାହିଁ ବୋଲି ସେ କହିଥିଲେ । ପଦାର୍ଥ ବିଜ୍ଞାନୀ ତଥା ନୋବେଲ ବିଜେତା ଚାର୍ଲସ୍ ଏଡ. ଟାଉନ୍ସଙ୍କୁ ଉଦ୍ଧୃତ କରି ସ୍ୱାମୀଜୀ କହିଥିଲେ ଯେ ଏହା କୌଣସି ଆକସ୍ମିକ ବ୍ରହ୍ମାଣ୍ଡ ନୁହେଁ ଏବଂ ଏହା ପଛରେ କେହି ଅଛନ୍ତି । ଏହାର କାର୍ଯ୍ୟକାରିତା ପଛରେ ନିଶ୍ଚିତ ଏକ ସର୍ବୋଚ୍ଚ ବୁଦ୍ଧିମତା କାର୍ଯ୍ୟ କରୁଛି ବୋଲି ସେ ବୈଜ୍ଞାନିକ ଟାଉନ୍ସଙ୍କୁ ଉଦ୍ଧୃତ କରି କହିଥିଲେ । କାନପୁର ଆଇଆଇଟିର ପୂର୍ବତନ ଛାତ୍ର ବ୍ରଜପତି ସ୍ୱାମୀ କହିଥିଲେ ଯେ ମଣିଷର ଇନ୍ଦ୍ରିୟଗତ, ମାନସିକ, ବୌଦ୍ଧିକ, ଭାବଗତ ଓ ଆଧ୍ୟାତ୍ମିକ ସ୍ଥିତି ସହିତ ୫ଟି ସ୍ତରର ସୁଖ ଜଡ଼ିତ ଥିଲେ ମଧ୍ୟ ସବୁଠାରୁ ଅଧିକ ଆନନ୍ଦ ଆଧ୍ୟାତ୍ମିକ ସ୍ଥିତିରୁ ମିଳିଥାଏ । ସୋଆର ଆନ୍ତର୍ଜାତିକ ସଂପର୍କ ଓ ବିଶ୍ୱବିଦ୍ୟାଳୟ ଆଉଟରିଚ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ବକ୍ତାମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅତିରିକ୍ତ ନିର୍ଦ୍ଦେଶକ ପ୍ରଫେସର ଭି. ରାମା ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ରଜେନ୍ଦ୍ର କୁମାର ସ୍ୱାମୀ ଓ ବ୍ରଜପତି ସ୍ୱାମୀ ମଧ୍ୟ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ସାକ୍ଷାତ କରି ମତ ବିନିମୟ କରିଥିଲେ ।

Spread the love