ରଥ ଉପରେ ବିଶୃଙ୍ଖଳା: ଭିଡିଓ କରୁଛନ୍ତି ସେବାୟତ, ବିନା ଅନୁମତିରେ ଚଢୁଛନ୍ତି ଅଣସେବାୟତ

ପୁରୀ: ମହାପ୍ରଭୁଙ୍କ ସେବାରେ ବାରମ୍ବାର ବିଭ୍ରାଟ ଦେଖାଯାଉଛି। ଅନେକ ସମୟରେ ନିର୍ଦ୍ଧାରିତ ସମୟ ଅନୁସାରେ ନୀତିକାନ୍ତି ମଧ୍ୟ ସଂପନ୍ନ ହୋଇପାରୁ ନାହିଁ। ଦାୟିତ୍ବରେ ଥିବା ସେବାୟତମାନେ ପ୍ରଶାସନର ମାର୍ଗଦର୍ଶିକାକୁ ଖାତରି କରୁ ନାହାନ୍ତି। ଗତ ମଙ୍ଗଳବାର ସନ୍ଧ୍ୟାରେ ବଡ଼ଠାକୁରଙ୍କ ଆଡ଼ପ ପହଣ୍ଡି ସମୟରେ ଘଟିଥିବା ଅଘଟଣକୁ ଜଗନ୍ନାଥ ପ୍ରେମୀ ଓ ରାଜ୍ୟବାସୀ ଭୁଲି ନଥିବା ବେଳେ ଆଜି ବାହୁଡ଼ାଯାତ୍ରା ଅବସରରେ ଥର ଉପରେ ସେବାୟତ ଓ ସେବାୟତମାନେ ବିଶୃଙ୍ଖଳିତ ଆଚରଣ କରିଛନ୍ତି। ରଥ ଉପରେ ଅଣସେବାୟତ ଚଢ଼ିବା ଓ ରଥ ଉପରେ ଥାଇ ସେବାୟତମାନେ ମୋବାଇଲ ମାଧ୍ୟମରେ ଭିଡିଓ ସୁଟିଂ କରିବା ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି।

ଆଜି ବାହୁଡାଯାତ୍ରାରେ କିଛି ସେବାୟତମାନେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀଙ୍କ ନିର୍ଦ୍ଦେଶକୁ ମାନି ନଥିଲେ। ରଥ ଉପରକୁ ମୋବାଇଲ ନେଇ ଯାଇଥିଲେ। ସେମାନେ ପ୍ରବଳ ଜନଗହଳିର ଭିଡିଓ ପ୍ରସ୍ତୁତ କରିଥିଲେ। ସେବାୟତଙ୍କ ଏଭଳି ଆଚରଣ ଦେଖାଯିବା ପରେ ଏବେ ମନରେ ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେବାୟତ ବଡ଼ ନା ମୁଖ୍ୟ ପ୍ରଶାସକ ବଡ଼ ବୋଲି ମନରେ ଆନ୍ଦୋଳନ ସୃଷ୍ଟି ହୋଇଛି। ପ୍ରଶାସକଙ୍କ ନିର୍ଦ୍ଦେଶକୁ ଅଣଦେଖା କରି ସେବାୟତମାନେ ରଥ ଉପରକୁ ମୋବାଇଲ ନେଇ ଖୁସିମନରେ ଭିଡିଓ କରିବାର ଚିତ୍ର ଭାଇରାଲ ହେଉଛି। ଯଦି ପୁଣି କିଛି ଅଘଟଣ ଘଟେ, ତେବେ ସେବାୟତଙ୍କ ଉପରେ ମୁଖ୍ୟ ପ୍ରଶାସକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ କି ତାହା ଏବେ ପ୍ରଶ୍ନବାଚୀ?

ରଥ ଉପରକୁ କୌଣସି ଅଣସେବକ ଚଢ଼ି ପାରିବେ ନାହିଁ। ଏନେଇ ପୂର୍ବରୁ ମୁଖ୍ୟ ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଆଜି ୨ ଜଣ ଅଣ‌ସେବାୟତ ରଥ ଉପରେ ଥିବା ଜଣାପଡ଼ିଥିଲା। ଏହି ଖବର ପାଇଁ ନିଜେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ସେମାନଙ୍କ ରଥରୁ ଓହ୍ଲାଇ ଥିଲେ। ରଥ ଉପରେ ଚଢ଼ିଥିବା ଅଣସେବାୟତମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଅନ୍ୟ ଜଣେ ବେସରକାରୀ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି। ତେବେ ଏହି ଦୁଇ ଅଣସେବାୟତ କାହାର ପ୍ରୋତ୍ସାହନରେ ରଥ ଉପରକୁ ଚଢ଼ିଥିଲେ? ଏହାର ବିଧିବଦ୍ଧ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ୱାର ଥାନାରେ ଅଭିଯୋଗ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।

Spread the love