ବର୍ଷକୁ ବର୍ଷ ବଢୁଛି ଶିବ ଲିଙ୍ଗ, କିମ୍ବଦନ୍ତୀ କହେ ଏହି ମନ୍ଦିରର ରହିଛି ଅନେକ ମହିମା

ବର୍ଷକୁ ବର୍ଷ ବଢୁଛି ଶିବ ଲିଙ୍ଗ । ଖାଲି ସେତିକି ନୁହଁ କିଛି ମାସରେ ଲିଙ୍ଗର ରଙ୍ଗ ମଧ୍ୟ ବଦଳୁଛି । ତେବେ ଆସନ୍ତୁ ଜାଣିବା ଏହି ଶିବଲିଙ୍ଗ କେଉଁଠି ରହିଛି । ତାଳଚେରର ଝାଡ଼ିଅମ୍ବା ଗାଁ ଯେଉଁଠି ରହିଛି ୬ ଫୁଟ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ସବୁଠାରୁ ବଡ଼ ଫୁଟି ଲିଙ୍ଗ । ଆଉ ଏହି ମନ୍ଦିରର ନାଁ ହେଉଛି ବାବା ପ୍ରାଣେସ୍ୱର ମନ୍ଦିର । ରାଜାଙ୍କ ଅମଳର ଏହି ଗାଁରେ ବାବାଙ୍କ ଏହି ଫୁଟି ଲିଙ୍ଗ ଆପେ ଆପେ ବଡ଼ ହେଉଥିବାର ବିଶ୍ୱାସ ରହିଛି । କିମ୍ବଦନ୍ତୀ କହେ ଗାଁରେ ରହିଥିବା ବାବା ପ୍ରାଣେଶ୍ୱର ମନ୍ଦିରର ରହିଛି ଅନେକ ମହିମା । ଓଡ଼ିଶାର ସବୁଠାରୁ ବଡ଼ ଫୁଟି ଲିଙ୍ଗକୁ ଗ୍ରାମବାସୀ ଏହିଠାରେ ହିଁ ପୂଜା କରିଥାନ୍ତି ।

ଯାହାର ଉଚ୍ଚତା ୬ ଫୁଟ ହେବ । ବିଶ୍ୱାସ ରହିଛି ଏହି ଫୁଟି ଲିଙ୍ଗର ଉଚ୍ଚତା ବର୍ଷକୁ ବର୍ଷ ବୃଦ୍ଧି ପାଇବା ସହ ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇଥାଏ । ସେତେବେଳେ ଏଠାରେ ପୂଜା କରୁଥିବା ପୂଜକ ପ୍ରତ୍ୟେକ ଦିନ ମହାଦେବଙ୍କ ଲିଙ୍ଗ ଉପରେ ଫୁଲଦେଇ ପୂଜାର୍ଚ୍ଚନା କରୁଥିଲେ । କାଳକ୍ରମେ ଗୋଟିଏ ଦିନ ପୂଜା କରୁଥିବା ସମୟରେ କିଛି ପୁଷ୍ପ ଶିବ ଲିଙ୍ଗ ଉପରେ ଦେବାକୁ ଯାଉଥିବା ସମୟରେ ପୂଜକଙ୍କ ହାତ ଆଉ ଲିଙ୍ଗ ଉପରକୁ ପାଇନଥିଲା ।  ଏହାପରେ ସେ ଗାଁ ଲୋକଙ୍କୁ ଡାକି ଏହି କଥା ଜଣାଇବା ସହ ବାବାଙ୍କର ଏହି ଲିଙ୍ଗଟି ବଢୁଥିବା ନେଇ ଗ୍ରାମବାସୀଙ୍କୁ କହିଥିଲେ ।

ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଏହି ଠାରେ ରହିଥିବା ବାବା ପ୍ରାଣନାଥଙ୍କର ଏହି ଲିଙ୍ଗ ବଢିବା ନେଇ ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି । ଯେତେବେଳେ ଯିଏ ଯାହା ମନାସିଛି ବାବା ପ୍ରାଣେଶ୍ୱର ତାଙ୍କୁ ଖାଲି ହାଥରେ ଫେରାଇ ନଥିବା ବିଶ୍ୱାସ ରହିଛି । ଖାଲି ସେତିକି ନୁହଁ ଏହିଠାରେ ମାଟି ତଳୁ ମା’ ପାର୍ବତୀଙ୍କ ମୂର୍ତ୍ତି ବାହାରି ଥିବାବେଳେ ତାଙ୍କୁ ମଧ୍ୟ ଏହି ମନ୍ଦିର ପାର୍ଶ୍ଵରେ ପୂଜାର୍ଚନା କରାଯାଉଛି । କୁହାଯାଏ ପ୍ରାୟ ଦୁଇ ଶହ ବର୍ଷ ପୂର୍ବେ ଏହି ସ୍ଥାନରେ ବୌଦ୍ଧ ଧର୍ମାଲମ୍ବୀମାନେ ବସବାସ କରୁଥିଲେ । ଯାହା ଜାଣିବା ପରେ ବିଗତ କିଛି ବର୍ଷ ପୂର୍ବରୁ ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ଗୋଟିଏ ଟିମ ଆସି ଚାରିରୁ ପାଞ୍ଚ ମାସ ଖନନ କରି ମାଟିତଳୁ ଗ୍ରାମର ବିଭିନ୍ନ ସ୍ଥାନରୁ ବୌଦ୍ଧ କୀର୍ତ୍ତିକୁ ସଂଗ୍ରହ କରିଥିଲେ ।

କିଛି ବୌଦ୍ଧ କୀର୍ତ୍ତିକୁ ମ୍ୟୁଜିୟମ ନିଆଯାଇଥିବା ବେଳେ ଆଉ କିଛି ବୌଦ୍ଧ କୀର୍ତ୍ତି ଏବେବି ଗାଁର ଏହି ମନ୍ଦିରରେ ପଡିରହିଛି । ଯାହାକୁ ନେଇ ଗାଁକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ । ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ଏହିଠାରେ ଥିବା ବ୍ରାହ୍ମଣୀ ନଦୀ ବୌଦ୍ଧକୀର୍ତି ସହିତ ବାବା ପ୍ରାଣେଶ୍ୱର ମନ୍ଦିର ଉପରେ ଯଦି ସରକାର ଦୃଷ୍ଟି ଦିଅନ୍ତେ ତେବେ ଆଗାମି ଦିନରେ ଏହା ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବା ସହ ଗ୍ରାମବାସୀ ଓ ଅଞ୍ଚଳବାସୀଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରନ୍ତା ।

Spread the love