ଆସନ୍ତା ୭ ତାରିଖରେ ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଗଜାନନ, ଚଳଚଞ୍ଚଳ ତାଳଚେର ସହର

ରଙ୍ଗୀନ ଆଲୋକ ମାଳାରେ ଝଲସିବ କୋଇଲା ନଗରୀ ତାଳଚେର ସହର । ତାଳଚେରର ଗଣପର୍ବ ଗଣେଶ ପୂଜାକୁ ଆଉ କିଛି ଦିନ ବାକି ରହିଥିବା ବେଳେ ଉତ୍ସବ ମୁଖର ହୋଇଉଠିଛି ପୁରା ସହରରୁ ଆରମ୍ଭ କରି ଗାଁ ଗଣ୍ଡା । ସମସ୍ତ ପୂଜା ମଣ୍ଡପ ଠାରୁ ଆରମ୍ଭ କରି ପୋଲିସ ଓ ପ୍ରଶାସନ ସବୁଠି ଶେଷ ପର୍ଯ୍ୟାୟରେ ଚୂଡାନ୍ତ ପ୍ରସ୍ତୁତି । ଆସନ୍ତା ୭ ତାରିଖରେ ଧରାପୃଷ୍ଠକୁ ଅବତରଣ କରିବେ ପ୍ରଭୁ ଗଜାନନ । ଏହା ତାଳଚେରର ଗଣପର୍ବ ହୋଇଥିବାରୁ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ଏଥର ଅଞ୍ଚଳରେ ୧୦୦ରୁ ଉର୍ଦ୍ଧ୍ବ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ତେବେ ଏ ନେଇ ତାଳଚେର ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇଉଠିଛି । ତେବେ ଚଳିତ ବର୍ଷ ପୂଜା ୭ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ଇନ୍ଦୁ ପୂର୍ଣ୍ଣିମା ଦିନ ଭସାଣି କାର୍ଯ୍ୟକ୍ରମ ଶେଷ ହେଉଥିବାରୁ ଦୀର୍ଘ ୧୦ ଦିନ ପର୍ଯ୍ୟନ୍ତ ସମସ୍ତ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ ଗଜାନନ । ଏଥିପାଇଁ ମୂର୍ତ୍ତି କାରିଗର ଠାରୁ ଆରମ୍ଭ କରି ମଣ୍ଡପ କର୍ମକର୍ତ୍ତା ମାନେ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଆଗେଇ ନେଉଛନ୍ତି । ଅନ୍ୟପଟେ ମୂର୍ତ୍ତି କାରିଗର ଭଳିକି ଭଳି ମୃର୍ତ୍ତି ଗଢି ତାକୁ ଶେଷ ସ୍ପର୍ଶ ଦେଉଛନ୍ତି । ଆଉ ଆଶା ରଖିଛନ୍ତି ଚଳିତ ବର୍ଷ ଭଲ ଦୁଇ ପଇସା ବ୍ୟବସାୟ ହେବ ବୋଲି ।

ତାଳଚେରର ଗଣପର୍ବ ଗଣେଶ ପୂଜା ହୋଇଥିବାରୁ ବିଭିନ୍ନ ପୂଜା କମିଟି ମଧ୍ୟରେ ପ୍ରତିଯୋଗିତା ଲାଗିରହିଥାଏ । ଏଥିପାଇଁ ପୂଜା କମିଟିର ତୋରଣ ଓ ମୂର୍ତ୍ତି ଗୁଡିକୁ ସୁସଜ୍ଜିତ କରିବା ପାଇଁ ବାହାର ରାଜ୍ୟରୁ କାରିଗର ଆଣି ସମସ୍ତ କାର୍ଯ୍ୟ କରାଇଥାନ୍ତି । ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ସୁନ୍ଦର ତୋରଣ ଓ ମୂର୍ତ୍ତି ଗୁଡିକ ଭିନ୍ନ ଭିନ୍ନ ଢଙ୍ଗରେ ପରିବେଷଣ କରାଯାଇଥାଏ । ଏହାକୁ ଦେଖିବାକୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

ଯାହାକୁ ଆଖି ଆଗରେ ରଖି ପୋଲିସ, ପ୍ରଶାସନ ଓ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ । ତେବେ ପ୍ରତ୍ୟକ ବର୍ଷ ଭଷାଣି ଦିନ ଗଣେଶଙ୍କ ଆଜ୍ଞା ଲଡୁ ନିଲାମ କରାଯାଉଥିବା ବେଳେ ଚଳିତବର୍ଷ ଭଷାଣିକୁ ଶୀଘ୍ର ସାରିବାପାଇଁ ଭଷାଣି ପୂର୍ବ ଦିନ ଲଡୁ ନିଲାମ କାର୍ଯ୍ୟ ହେବା ନେଇ କେନ୍ଦ୍ରୀୟ ଗଣେଶ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଦୀର୍ଘ ଦଶ ଦିନ ଧରି ପ୍ରଭୁ ଗଜାନନ ପୂଜା ପାଇବାକୁ ଥିବାବେଳେ ପୂଜା ମଣ୍ଡପ ଓ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Spread the love