ଓଡିଶା ସମବାୟ ଆଇନ ଏବଂ ସମ୍ବିଧାନ ସମବାୟ ସମିତିର ନିୟମଅନୁସାରେ ତୁରନ୍ତ ନିର୍ବାଚନ କରାଯାଉ :ବିଜେପି

ଭୁବନେଶ୍ୱର:ସମବାୟ ସମିତି ଗୁଡିକ ସ୍ୱତନ୍ତ୍ର, ସ୍ୱାୟତ ଓ ଗଣତାନ୍ତ୍ରିକ ସଂସ୍ଥା । ସମ୍ବିଧାନର ୨୪୩ (ଚ୍ଛଳ) ଧାରା ଅନୁଯାୟୀ ସମବାୟ ସମିତିର ଗଣତାନ୍ତ୍ରିକ ଚରିତ୍ର ବଜାୟ ରଖିବା ପାଇଁ କାର୍ଯ୍ୟକାଳ ପୂରିବା ପୂର୍ବରୁ ନୂଆ ନିର୍ବାଚନ କରିବାର ନିୟମ ରହିଛି । ଏହା ଦ୍ୱାରା ପୁରୂଣା କମିଟି ପାଖରୁ ସିଧାସଳଖ ନୂଆ ନିର୍ବାଚିତ ପରିଷଦ ଦାୟୀତ୍ୱ ଗ୍ରହଣ କରିପାରିବେ । ଜାନୁଆରୀ ୨୦ ତାରିଖରୁ ଫେବୃଆରୀ ୨୦ ତାରିଖ ଭିତରେ ସମସ୍ତ
ପ୍ରାଥମିକ ସମବାୟ ସମିତିର ଅବଧି ପୂରଣ ହେଉଛି । ଅବଧି ପୂରଣ ହେବାର ୬ ମାସ ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଆରମ୍ବ ହୋଇ ଶେଷ ହେବା କଥା । କିନ୍ତୁ ରାଜ୍ୟ ସରକାର ନିର୍ବାଚନର ବିଜ୍ଞପ୍ତି ପ୍ରକାଶ ନକରି ବେଆଇନ ଭାବେ ସରକାରୀ ଅଧିକାରୀଙ୍କୁ ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟୀତ୍ୱ ଦିଆଯାଇଛି । ଏପରିକି ସମସ୍ତ ସମିତିର ଅବଧୀ ପୂରିଥିଲେ ମଧ୍ୟ ନିର୍ବାଚନ କମିଶନ ନିଯୁକ୍ତି ହୋଇ ନାହାଁନ୍ତି ବୋଲି ବିଜେପି ସମବାୟ ପ୍ରକୋଷ୍ଠର ରାଜ୍ୟ ସହ ସଂଯୋଜକ ଶ୍ରୀ ପବିତ୍ର ମୋହନ ଦାଶ ଅଭିଯୋଗ କରିଛନ୍ତି । ଆଜି ରାଜ୍ୟ ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ଏକ ପ୍ରତିନିଧୀ ଦଳ ଓଡିଶା ସମବାୟ ନିବନ୍ଧକଙ୍କୁ ଭେଟି
ଓଡିଶା ସମବାୟ ଆଇନ ଓ ସମ୍ବିଧାନ ସମବାୟ ସମିତିର ନିୟମ ଅନୁସାରେ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବୀ କରିଛି । ଶ୍ରୀ ଦାଶ କହିଛନ୍ତି ଯେ, ରାଜ୍ୟସରକାର ସମବାୟ ସମିତିର ନିର୍ବାଚନ ନକରି ଏକ ଅସ୍ଥାୟୀ ଓ ସଂପୃକ୍ତ ସମିତି ପ୍ରତି ଏକ ଅଣ ଉତରଦାୟୀ ପରିଚାଳନା ପରିଷଦ ଗଠନର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହା ସଂପୂର୍ଣ୍ଣ ଭାବେ ଅଗଣତାନ୍ତ୍ରିକ ଏବଂ ସମ୍ବିଧାନ ବିରୋଧୀ ଅଟେ । ଯେ ପର୍ଯ୍ୟନ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ନହୋଇଛି ସେତେଦିନ ପର୍ଯ୍ୟନ୍ତ କାର୍ଯ୍ୟକାଳ ପୂରି ଯାଇଥିବା ପରିଚାଳନା କମିଟି ଗୁଡିକୁ କାର୍ଯ୍ୟକାରୀ ପରିଷଦ ଭାବେ ଦାୟୀତ୍ୱରେ ରଖାଯାଉ ।
ଯଦି ରାଜ୍ୟସରକାର ତୁରନ୍ତ ଗଣତାନ୍ତ୍ରିକ ଉପାୟରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ନକରନ୍ତି ତେବେ
ଆଗାମୀ ଦିନରେ ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ସମଗ୍ର ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାଶ ଚେତାବନୀ ଦେଇଛନ୍ତି ।
ଏହି ପ୍ରତିନିଧୀ ଦଳରେ ବିଜୟ ରାଉତରାୟ, ଅନୁପ ପରିଡା, ଗୌରୀଶ୍ୟାମ ପଟ୍ଟନାୟକ, ସୁବାଶ ପ୍ରଧାନ,
ପ୍ରତିଭା ଶତପଥୀ, ବନ୍ଧୁ ଚରଣ ସାହୁ, ବିପିନ ପଣ୍ଡା, କଲ୍ୟାଣ ଚାର୍ଟାଜୀ, କେଳୁଚରଣ ଜଗଦେବ, ଗୌରୀଶଙ୍କର ପଟ୍ଟନାୟକ ଏବଂ ରଂଜିତ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

Spread the love