ଥାନାରେ ପ୍ରେମୀ ଯୁଗଳଙ୍କୁ ବିବାହ କରାଇଲେ ପୋଲିସ

ଆଦିବାସୀ ପ୍ରେମୀ ଯୁଗଳଙ୍କୁ ଥାନାରେ ବିବାହ କରାଇଲେ ପୋଲିସ । ଅନୁଗୋଳ ଜିଲ୍ଲା ପାଲଲହଡା ଥାନାରେ ବିବାହ କଲେ ପ୍ରେମୀ ଯୁଗଳ ।

ସୂଚନା ଅନୁଯାୟୀ, ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଦଲକି ଗ୍ରାମର ଆଦିବାସୀ ଯୁବକ ସଞ୍ଜୟ ବାନର ଏବଂ ପାଲଲହଡା ଥାନା କେରେଯେଙ୍ଗI ଗ୍ରାମର ମାଳତୀ ଶୁଣ୍ଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ଦୁଇ ପରିବାର ଏହାକୁ ବିରୋଧ କରୁଥିଲେ । ଘଟଣାକୁ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ପାଲଲହଡା ଥାନାରେ ଏକ ଅଭିଯୋଗ ହୋଇଥିଲା । ତେବେ ଥାନା ଅଧିକାରୀ ଦୁଇ ପରିବାର ଏବଂ ପ୍ରେମୀଯୁଗଳଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାସୁଝା କରିଥିଲେ। ପରେ ଦୁଇ ପରିବାରର ସହମତିରେ ଥାନାରେ ଦୁଇ ପ୍ରେମୀ ଯୁଗଳଙ୍କୁ ବିବାହ ସମ୍ପନ୍ନ ହୋଇଥିଲା I

ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇ ସାତ ଜନମ ପାଇଁ ସାଥୀ ହୋଇଥିଲେ। ଏହାସହ ଥାନାରେ ବିବାହ ରାଜିନାମା ଲେଖାଯାଇଥିଲା। ପରେ ପୋଲିସ ସହାୟତାରେ କୋର୍ଟରେ ଏହି ବିବାହ ପଞ୍ଜିକୃତ କରାଇବାକୁ ସ୍ଥିର ହୋଇଥିଲା। ଦିନେ ଏହି ପ୍ରେମ ସମ୍ପର୍କକୁ ନେଇ ଉଭୟ ପରିବାରରେ ତିକ୍ତତା ବଢିଯାଇଥିବାବେଳେ ବିବାହ ପରେ ଉଭୟ ପରିବାର ବେଶ ଖୁସି ଅଛନ୍ତି। ସେପଟେ ଥାନରୁ ହିଁ ଝିଅକୁ ଶାଶୁ ଘରକୁ ବିଦା କରାଯାଇଥିବା ଦେଖିବାକୁ ମିଳିଛି । ତେବେ ପୋଲିସର ଏପରି କାର୍ଯ୍ୟକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି ।

Spread the love