ଜୀବନ ଥିଲେ କେତେ ବୁଲିବା… ଆତଙ୍କୀ ହମଲା ପରେ ଛାତିରେ ଛନକା, ଛାନିଆରେ କାଶ୍ମୀର ଛାଡୁଛନ୍ତି ପର୍ଯ୍ୟଟକ
ଶ୍ରୀନଗର: ସବୁଠି ଭୟ… ସବୁଠି ଆତଙ୍କର ବାତାବରଣ । ପହଲଗାମ୍ ଆତଙ୍କୀ ହମଲା ପରେ ଏବେ ଛାନିଆ କାଶ୍ମୀର ବୁଲି ଯାଇଖିବା ପର୍ଯ୍ୟଟକ । କେମିତି ଘରେ ପହଞ୍ଚିବେ ଏବଂ ସେମାନଙ୍କ ମୂଲ୍ୟବାନ ଜୀବନକୁ ସୁରକ୍ଷିତ ରଖି ନିଜ ଆତ୍ମୀୟଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହେବେ ଏବେ ସମସ୍ତଙ୍କୁ ସେହି ନିଶା ଘାରିଛି । ତେଣୁ ବୁଲା ବୁଲି ବନ୍ଦ କରି ବିଭିନ୍ନ ରାଜ୍ୟର ଲୋକେ ଏବେ ଘର ମୁହାଁ ହେଉଛନ୍ତି ଏବଂ କାଶ୍ମୀର ଛାଡୁଛନ୍ତି । ଦେଶର ବିଦେଶର ବିଭିନ୍ନ ପର୍ଯ୍ୟଟକ କାଶ୍ମୀରର ସୌନ୍ଦର୍ଯ୍ୟ ଉପଭୋକ କରିବାକୁ ଆସିଥିବା ବେଳେ ନିରୀହ ଲୋକଙ୍କ ଉପରେ ଆଖିବୁଲା ଆତଙ୍କୀ ଆକ୍ରମଣ ପରେ ଏବେ ସମସ୍ତେ ଡରିଯାଇଛନ୍ତି । ଆଉ ଘରକୁ ଫେରିବାକୁ ଶ୍ରୀନଗର ବିମାନ ବନ୍ଦରରେ ଭିଡ଼ ଜମାଇଛନ୍ତି । ଭିଡ଼କୁ ଲକ୍ଷ୍ୟ ରଖି ଏୟାର ଇଣ୍ଡିଆ ପକ୍ଷରୁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା କରାଯାଇଛି ।
ଗତକାଲି ଆଖି ଆଗରେ ପର୍ଯ୍ୟଟକମାନେ ଅନ୍ୟ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ହତ୍ୟା କରିବାର ଦେଖିଛନ୍ତି ତେଣୁ ଯେଉଁମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସେମାନେ ଭଗବାନଙ୍କୁ ଧନ୍ୟବାଦ ଦେବା ସହ କାଶ୍ମୀର ଛାଡି ତୁରନ୍ତ ଫେରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ସେପଟେ ଆକ୍ରମଣସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି ଅମିତ ଶାହା । ପରେ ଆହତଙ୍କୁ ଭେଟିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇ ପହଲଗାମରୁ ଆତଙ୍କବାଦୀଙ୍କୁ ଚେତାବନୀ ଦେଇଛନ୍ତି । ଆକ୍ରମଣରେ ଆତ୍ମୀୟଙ୍କୁ ହରାଇବାର ଦୁଃଖ ଅବର୍ଣ୍ଣନୀୟ, ଏହି ଦୁଃଖକୁ ବଖାଣିବାକୁ ଶବ୍ଦ ନାହିଁ । ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି । ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବନି ଭାରତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।