ବିକଶିତ ଭାରତ ୨୦୪୭, ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍କ୍ଲେଭରେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ସମ୍ମାନରେ ସୋଆ ସମ୍ମାନିତ
ଭୁବନେଶ୍ୱର , ଏପ୍ରିଲ ୨୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ‘ଏକ୍ସିଲେନ୍ସ ଇନ୍ ଦ ଫିଲ୍ଡ ଅଫ୍ ଏଜୁକେସନ୍’ ସମ୍ମାନରେ ସମ୍ମାନିତ କରାଯାଇଛି । ନ୍ୟୁଜ ଚ୍ୟାନେଲ୍ ଭାରତ ଟ୍ୱେଂଟି ଫୋର ପକ୍ଷରୁ ନିକଟରେ ନୁଆଦିଲ୍ଲୀ ଠାରେ ଆୟୋଜିତ ବିକଶିତ ଭାରତ ୨୦୪୭, ଭିଜନ ଅଫ୍ ନ୍ୟୁ ଇଣ୍ଡିଆ କନ୍କ୍ଲେଭ୍ରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗ ମନ୍ତ୍ରୀ ଶ୍ରୀ ନୀତିନ୍ ଗଡ଼କରୀ ଏହି ସମ୍ମାନ ପ୍ରଦାନ କରିଛନ୍ତି ।
ସୋଆ ପକ୍ଷରୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଶୁଭଦର୍ଶିନୀ ମିଶ୍ର ଶ୍ରୀ ଗଡ଼କରୀଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ଏହି ଅବସରରେ ଭାରତ ଟ୍ୱେଂଟି ଫୋରର ସିଇଓ ତଥା ଏଡିଟ୍ର ଇନ୍ ଚିଫ୍ ଶ୍ରୀ ଜଗଦୀଶ ଚନ୍ଦ୍ର ଏବଂ ଚିଫ୍ ବିଜିନେସ୍ ଅଫିସର ଶ୍ରୀ ମନୋଜ ଜିଜ୍ଞାସୀ ଉପସ୍ଥିତ ଥିଲେ । ସମ୍ମାନ ପ୍ରଦାନ ସମୟରେ ସୋଆ ପ୍ରତିଷ୍ଠାତା ସଭାପତିଙ୍କ ଓଏସ୍ଡି ଶ୍ରୀ ପ୍ରୀତମ ନାୟକ ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ନନ୍ଦ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ବିକଶିତ ଭାରତ ୨୦୪୭ ପରିପ୍ରେକ୍ଷୀରେ ସୋଆର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
କାର୍ଯ୍ୟକ୍ରମରେ ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଅରୁଣ ସାଓ, ଉତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ବ୍ରଜେଶ ପାଠକ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀମତି ରକ୍ଷା ଫଡସେ ଏବଂ ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଶ୍ରୀ ଅବନୀଶ ଅବସ୍ଥି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।