ଆଜି ରାଷ୍ଟ୍ରପତିଙ୍କୁ ଭେଟିବେ ଟ୍ରମ୍ପ

୨ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି ସକାଳ ୧୦ଟାରେ ଟ୍ରମ୍ପ ରାଷ୍ଟ୍ରପତି ଭବନ ଯିବେ । ସେଠାରେ ଆନୁଷ୍ଠାନିକ ଭାବେ ତାଙ୍କର ସ୍ୱାଗତ କରାଯିବ। ଏହାପରେ ଟ୍ରମ୍ପ ୧୦ଟା୩୦ରେ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେବେ । ଦିନ ୧୧ଟାରେ ହାଇଦ୍ରାବାଦ ହାଉସ୍‌ରେ ପହଞ୍ଚିବେ । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କର ବୈଠକ ରହିଛି । ଏହି ଅବସରରେ ୨ ଦେଶ ମଧ୍ୟରେ ବିଭିନ୍ନ ରାଜିନାମାରେ ସ୍ୱାକ୍ଷର ହେବାର ସମ୍ଭାବନା ରହିଛି। ୧୨ଟା ୪୦ରେ ଉଭୟ ନେତା ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ।

ଏହାପରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ । ଏହାପରେ ସନ୍ଧ୍ୟା ୭.୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିବେ। ସେଠାରେ ଟ୍ରମ୍ପଙ୍କ ସମ୍ମାନର୍ଥେ ରାତ୍ର ଭୋଜନର ବ୍ୟବସ୍ଥା ରହିଛି। ଏହାପରେ ରାତି ୧୦ଟାରେ ଆମେରିକା ଫେରିଯିବେ ଟ୍ରମ୍ପ ।

ଗତକାଲି ଡୋନାଲ୍ଡ ଟ୍ରମ୍ପ ଗୁଜରାଟର ଅହମ୍ମଦାବାଦ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହା ପରେ ସେ ଆମେରିକାର ଫାଷ୍ଟ ଲେଡି ମେଲାନିଆଙ୍କ ସହ ସାବରମତି ଆଶ୍ରମ ବୁଲି ଦେଖିଥିଲେ । ଏହାପରେ ୨ ରାଷ୍ଟ୍ର ମୁଖ୍ୟ ସାବରମତି ଆଶ୍ରମରୁ ମୋଟେରା ଯିବା ବେଳେ ବି ରାସ୍ତାର ଦୁଇ ପାର୍ଶ୍ୱରେ ଲକ୍ଷ ଲକ୍ଷ ଜନତା ଟ୍ରମ୍ପଙ୍କୁ ସ୍ୱାଗତ କରିଥିଲେ ।ନିଜର ପ୍ରଥମ ଭାରତ ଗସ୍ତରେ ତାଙ୍କୁ ମିଳିଥିବା ଆତିଥେୟତାରେ ଆଚମ୍ବିତ ହୋଇପଡ଼ିଥିଲେ ଟ୍ରମ୍ପ ଦମ୍ପତି। ଅହମ୍ମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଟ୍ରମ୍ପ ସିଧା ଆଗ୍ରା ଯାଇଥିଲେ । ପରେ ଆଗ୍ରାରେ ତାଜମହଲ ପରିଦର୍ଶନ କରିଥିଲେ ଆମେରିକା ରାଷ୍ଟ୍ରପତି, ପତ୍ନୀ ମେଲାନିଆ ଓ ତାଙ୍କ ପରିବାର ସଦସ୍ୟ ।

Spread the love