ଖେଲୋ ଇଣ୍ଡିଆରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମ ପଦକ ଜିତିଲେ କୋରାପୁଟ ଝିଅ

ଭୁବନେଶ୍ୱର, କୋରାପୁଟ ଜିଲ୍ଲାର ଆଦିବାସୀ ଝିଅ ପ୍ରମିଳା କିର୍ସାନୀ । ଦୌଡ, କୁଦ, ଡିସ୍କସ ନ ହେଲେ ସଟ ପୁଟ ଫିଙ୍ଗିବା ଥିଲା ତାଙ୍କର ଲକ୍ଷ୍ୟ । ସେଥିରେ ସେ ବିଫଳ ହୋଇଥିଲେ ସତ । କିନ୍ତୁ ଯେଉଁ ଖେଳ ବିଷୟରେ ତାଙ୍କର ଆଗରୁ କୌଣସି ଜ୍ଞାନ ନଥିଲା, ସେଥିରେ ଆଜି ସେ ଜାତୀୟ ସ୍ତରରେ ମେଡାଲ ହାସଲ କରିଛନ୍ତି ।

ତେବେ ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଇଁ ପ୍ରଥମ ପଦକ ଜିତିଛନ୍ତି ପ୍ରମିଳା କିର୍ସାନୀ । ସିନିୟର ମହିଳା 55 କେଜି ଇଭେଣ୍ଟରେ ପ୍ରମିଳା ରୌପ୍ୟ ପଦକ ହାସଲ କରିଛନ୍ତି । ସେ ସ୍ନାଚ୍‌ରେ 71 ଓ କ୍ଲିନ୍‌ ଆଣ୍ଡ ଜର୍କରେ 91 ଏହିପରି ମୋଟ 162 କେଜି ଭାର ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ମେଡାଲ ବିଜୟୀ ହେବା ପରେ ତାଙ୍କ ନିଜ ପରିବାରରେ ବେଶ ଉତ୍ସାହ ଭରି ଯାଇଥିବାବେଳେ ନିଜ ଅଞ୍ଚଳରେ ତାଙ୍କ ପାଇଁ ପିଲାମାନେ ପାଠ ପଢିବା ସହିତ ଖେଳ ପ୍ରତି ଆକୃଷ୍ଟ ହେଉଥିବା ସେ କହିଛନ୍ତି ।

ତେବେ ସେ ଦୀର୍ଘ 4 ବର୍ଷ ତଳୁ ଖେଳ ଛାଡିସାରିଥିଲେ । ବିବାହ ପରେ ସେ ଆଉ ଭାର ଉତ୍ତୋଳନ କରୁନଥିଲେ । ମାତ୍ର ସ୍ବାମୀଙ୍କ ସମର୍ଥନ ଓ ପରିବାର ଲୋକଙ୍କ ଅଦମ୍ୟ ଉତ୍ସାହ ତାଙ୍କୁ ପୁଣିଥରେ ପୋଡିୟମକୁ ଫେରାଇ ଆଣିଥିଲା । ତେବେ ଖେଳ ଛାଡିବା ପରେ ଏହା ତାଙ୍କର ପ୍ରଥମ ପଦକ । ଏହା ପୂର୍ବରୁ ସେ ଅନେକ ଜାତୀୟ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରି ପଦକ ଜିତିଛନ୍ତି । ତେବେ ସେ ଗରିବ ପରିବାରରୁ ଆସିଥିବାରୁ ଖେଳ ମାଧ୍ୟମରେ ସରକାରୀ ଚାକିରୀ ପାଇବାର ଇଛା ରଖିଥିବା କହିଛନ୍ତି । କାରଣ ନିଜେ ଚଳିବା ସହିତ ପରିବାର ପ୍ରତିପୋଷଣ କରିବା ଏବଂ ଖେଳ ଅଭ୍ୟାସ କରିବା ସାଧାରଣ ଆଦିବାସୀ ଝିଅ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ।

Spread the love