ଲୁହରେ ଭିଜିଲା ହ୍ୟୁମାନ ସାଗରଙ୍କ ଜନ୍ମମାଟି, ଖ୍ରୀଷ୍ଟ ଧର୍ମାନୁଯାୟୀ ଶେଷକୃତ୍ୟ ସଂପନ୍ନ
ଭୁବନେଶ୍ୱର : ଲୁହରେ ଭିଜିଲା ହ୍ୟୁମାନ ସାଗରଙ୍କ ଜନ୍ମମାଟି । ଖ୍ରୀଷ୍ଟ ଧର୍ମାନୁଯାୟୀ ସଂପନ୍ନ ହୋଇଛି ହ୍ୟୁମାନ ସାଗରଙ୍କ ଶେଷକୃତ୍ୟ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ଏକ ଚର୍ଚ୍ଚରେ ହ୍ୟୁମାନ ସାଗରଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଶେଷକୃତ୍ୟରେ ଲକ୍ଷାଧିକ ପ୍ରଶଂସକ ଓ ଶୁଭେଚ୍ଛୁ ସାମିଲ ହୋଇ ମରଶରୀରକୁ ଅଶ୍ରୁଳ ବିଦାୟ ଦେଇଥିଲେ । ମରଶରୀର ଟିଟିଲାଗଡ଼ରେ ପହଞ୍ଚିଲା ପରେ ହ୍ୟୁମାନଙ୍କର ଘରେ ଓ ଘର ବାହାରେ ପ୍ରବଳ ଭିଡ଼ ଲାଗିଥିଲା ।
ପରିବାର ଲୋକ, ସଂପର୍କୀୟ, ପ୍ରଶଂସକମାନେ ଶ୍ରଦ୍ଧାଞ୍ଜଳି ଦେବା ସହିତ ଅନ୍ତିମ ଦର୍ଶନ କରିଥିଲେ। ଗତକାଲି ରାତି ପ୍ରାୟ ୯ଟାରେ ଏମସ ଭୁବନେଶ୍ବରରେ ଶେଷନିଶ୍ବାସ ତ୍ୟାଗ କରିଥିଲେ ହ୍ୟୁମାନ ସାଗର । ଅନ୍ୟପଟେ ହ୍ୟୁମାନ ସାଗରଙ୍କୁ ମୃତ୍ୟୁକୁ ନେଇ ବିବାଦ। ମୃତ୍ୟୁ ପାଇଁ ତାଙ୍କ ମ୍ୟାନେଜର ଓ ଟିମ ମେମ୍ବରଙ୍କୁ ଦାୟୀ କରିଛନ୍ତି ହ୍ୟୁମାନଙ୍କ ମାଆ।
ପୁଅ ଡିପ୍ରେସନରେ ପ୍ରାଣ ହରାଇଥିବା ସେ ଅଭିଯୋଗ କରିଛନ୍ତି। ଗୁରୁତର ଅସୁସ୍ଥ ଥିବା ସତ୍ତ୍ବେ ତାଙ୍କୁ ନେଇ ଷ୍ଟେଜ ସୋ କରାଯାଉଥିଲା ବୋଲି କହିଛନ୍ତି ଶେଫାଳି ସୁନା । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ଖଣ୍ଡନ କରିଛନ୍ତି ହ୍ୟୁମାନଙ୍କ ଟିମ ସଦସ୍ୟ । ତାଙ୍କ ଶରୀର ଅସୁସ୍ଥ ଥିବା ବେଳେ ପରିବାର ଲୋକ କେଉଁଠି ଥିଲେ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।
