ଠପ୍ ପଡ଼ିଗଲା ଏକ୍ସ : ଲୋଡ୍ ହେଲା ନାହିଁ ପୋଷ୍ଟ, ୧୮,୬୦୦ ରୁ ଅଧିକ ଅଭିଯୋଗ

ଭୁବନେଶ୍ୱର : ଠପ୍ ପଡ଼ିଗଲା ଏକ୍ସ ।  ଅନେକ ଉପଭୋକ୍ତାଙ୍କ ପାଇଁ ଧିମେଇ ଗଲା ସୋସିଆଲ ମିଡିଆ ପ୍ଲାଟଫର୍ମ ।  ଲୋଡ୍ ହେଲା ନାହିଁ ପୋଷ୍ଟ। ଅନେକ ଉପଭୋକ୍ତଙ୍କ ପାଇଁ ବ୍ୟାପକ ସମସ୍ୟା ଦେଖାଦେଲା। ହଜାର ହଜାର ଉପଭୋକ୍ତାଙ୍କ ପାଇଁ ସାଇଟ୍ ଆକ୍ସେସ୍ କରିବାରେ ବାଧା ସୃଷ୍ଟି ହେଲା ।  ୧୮,୬୦୦ ରୁ ଅଧିକ ଅଭିଯୋଗ ଆସି ପହଞ୍ଚିଲା ।

ଯେଉଁଥିରେ ମୁଖ୍ୟତଃ ପୋଷ୍ଟଗୁଡ଼ିକ ଲୋଡ୍ ନହେବା, ଟାଇମ୍ ଲାଇନ୍ ଦେଖା ନଯିବା ଭଳି ଅଭିଯୋଗ ହେଲା ।  ଏହାସହ ଆସିଲା Something went wrong, ପୁନଃ ଲୋଡ୍ କରିବାକୁ ଚେଷ୍ଟା କରନ୍ତୁ ଭଳି ବାର୍ତ୍ତା ।   ଆମେରିକା, ଭାରତ, ବ୍ରିଟେନ୍ ଏବଂ ଅନ୍ୟାନ୍ୟ ଦେଶର ଉପଭୋକ୍ତାମାନେ ପ୍ଲାଟଫର୍ମରେ ହିଁ ନିଜର ଅସନ୍ତୋଷ ପ୍ରକାଶ କଲେ ।

ଏହି ସମସ୍ୟାର ମୂଳ କାରଣ X ର କଣ୍ଟେଣ୍ଟ୍ ଡେଲିଭରୀ ନେଟୱାର୍କ Cloudflare ସହ ଜଡିତ ଏକ ତୃତୀୟ ପକ୍ଷ ସମସ୍ୟା ବୋଲି ଜଣାପଡିଛି ।  ଏହା ଫଳରେ ଯୋଗାଯୋଗରେ ବ୍ୟାଘାତ ସହ ଲୋଡିଂ ଧିମେଇ ଯାଇଛି ।  ମାର୍ଚ୍ଚରେ ଘଟିଥିବା ଘଟଣା ପରି କୌଣସି ସାଇବର୍ ଆକ୍ରମଣର ଉଲ୍ଲେଖ କରାଯାଇ ନାହିଁ । ଅପରାହ୍ନ ବେଳକୁ, ଅଧିକାଂଶ ଉପଭୋକ୍ତାଙ୍କ ପାଇଁ ସମସ୍ୟା କମିଯାଇଥିଲା ।

ସମସ୍ୟା ରିପୋର୍ଟ ସଂଖ୍ୟା ୬୦୦ ତଳକୁ ଖସି ଆସିଥିଲା। X ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଜାରି କରାଯାଇ ନାହିଁ। କିନ୍ତୁ ଉପଭୋକ୍ତାମାନେ ଜଣାଇଛନ୍ତି ଯେ କିଛି ମିନିଟ୍ ରୁ କିଛି ଘଣ୍ଟା ମଧ୍ୟରେ ସାମାନ୍ୟ ଅଚଳାବସ୍ଥା ପରେ ଆଂଶିକ ସୁଧାର ଆସିଛି। ଏହା ୨୦୨୫ ମସିହାରେ ଏକ୍ସର ଚତୁର୍ଥ ବଡ଼ ତ୍ରୁଟି।

Spread the love