କାଲି ମିଳିବ କି ନିର୍ଭୟାଦୋଷୀଙ୍କୁ ଫାଶୀ ?

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଆସନ୍ତାକାଲି ଏହି ଘଟଣାର ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଧାର୍ଯ୍ୟ ହୋଇଥିବା ସମୟ କିମ୍ବା ତାରିଖରେ କୌଣସି ପରିବର୍ତ୍ତନ କରିବାକୁ ପଟିଆଲା ହାଉସ କୋର୍ଟ ମନା କରିଦେଇଛନ୍ତି। ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଦୋଷୀମାନେ ଆବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଅର୍ଥାତ ପୂର୍ବରୁ ଜାରି ହୋଇଥିବା ଡେଥ ୱାରେଣ୍ଟ ଅନୁଯାୟୀ ୪ ଦୋଷୀ ଅକ୍ଷୟ, ମୁକେଶ, ପବନ ଓ ବିନୟକୁ ମଙ୍ଗଳବାର ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲାଯିବ। କିନ୍ତୁ ଏହାର କାର୍ଯ୍ୟକାରିତାକୁ ନେଇ ଏବେ ଆଶା ଆଶଙ୍କା ସୃଷ୍ଟି ହୋଇଛି। କାରଣ ଘଟଣାର ଦୋଷୀ ପବନ ଗୁପ୍ତା ଆଜି ମଧ୍ୟାହ୍ଣରେ ଫାଶୀ ବର୍ତ୍ତିବା ପାଇଁ ଶେଷ ଗୋଟି ଚାଳନା କରିଛି।

ତା’ର କ୍ୟୁରେଟିଭ ପିଟିସନ ଖାରଜ ହେବା ପରେ ସେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ମୁକେଶ, ବିନୟ ଓ ଅକ୍ଷୟ ପର୍ଯ୍ୟାୟକ୍ରମେ କ୍ୟୁରେଟିଭ ଏବଂ ରାଜକ୍ଷମା ଆବେଦନ କରି ଫାଶୀ ତାରିଖକୁ ଘୁଞ୍ଚାଇଥିଲେ। ତେଣୁ ପବନ ଆଜି ରାଜକ୍ଷମା ଆବେଦନ କରି ଫାଶୀ ତାରିଖକୁ ଘୁଞ୍ଚାଇବାକୁ ଯୋଜନା କରିଛି।

ନିୟମ ଅନୁଯାୟୀ, ପବନର ରାଜକ୍ଷମା ଆବେଦନ ସଂକ୍ରାନ୍ତ ଫାଇଲ ପ୍ରଥମେ ଦିଲ୍ଲୀ ସରକାର, ପରେ ଉପ ରାଜ୍ୟପାଳ ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ଫାଇଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଠାଇବ। ତେଣୁ ପବନ କ୍ଷେତ୍ରରେ ଏସବୁ ନିୟମ ମଧ୍ୟ ଲାଗୁ ହେବ। ସେହିପରି ରାଜକ୍ଷମା ଆବେଦନ ଖାରଜ ହେବା ପରେ ଜଣେ ଦୋଷୀଙ୍କୁ ୧୪ ଦିନର ସମୟ ଦିଆଯାଏ। ଯଦି ଏସବୁ ନିୟମ ନିର୍ଭୟା ଘଟଣାରେ ଲାଗୁ ହୁଏ, ତା’ହେଲେ ଫାଶୀ ତାରିଖ ଘୁଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିଛି।

Spread the love