ନୂଆବର୍ଷକୁ ସ୍ବାଗତ : ବିଶ୍ବବ୍ୟାପୀ ସବୁଠି ଉଲ୍ଲାସ
ଆଜି ସମଗ୍ର ବିଶ୍ବ ନୂଆବର୍ଷ ୨୦୨୬କୁ ଜୋର୍ଦାର ସ୍ବାଗତ କରିଛି । ନ୍ୟୁଜିଲାଣ୍ଡରେ ନୂଆବର୍ଷର ପ୍ରଥମ ଝଲକଠାରୁ ଆରମ୍ଭ କରି ଆମେରିକାରେ ଚମକଦାର ସମାପ୍ତି ପର୍ଯ୍ୟନ୍ତ, ବିଶ୍ୱର କୋଟି କୋଟି ଲୋକ ପୁରୁଣା ବର୍ଷକୁ ବିଦାୟ ଦେଇଛନ୍ତି। ନୂଆବର୍ଷକୁ ସ୍ବାଗତ କରି ଚମତ୍କାର ଆତସବାଜି ଓ ଆନନ୍ଦମୟ ସମାବେଶ ଦେଖିବାକୁ ମିଳିଛି। ୨୦୨୬କୁ ସ୍ବାଗତର ପ୍ରଥମ ଉତ୍ସବ ପାରମ୍ପରିକ ଭାବେ ନ୍ୟୁଜିଲାଣ୍ଡର ଅକ୍ଲ୍ୟାଣ୍ଡରୁ ଆରମ୍ଭ ହୋଇଥିଲା ଯେଉଁଠାରେ ପ୍ରତୀକାତ୍ମକ ସ୍କାଏ ଟାୱାରରୁ ରଙ୍ଗିନ ଆତସବାଜିର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆରେ ସିଡ୍ନି ହାର୍ବର ବ୍ରିଜ୍ ଓ ଅପେରା ହାଉସ୍ ଉପରେ ପାରମ୍ପରିକ ଆତସବାଜି ପ୍ରଦର୍ଶନ ସମସ୍ତଙ୍କୁ ମୁଗଧ କରିଦେଇଥିଲା । କଡ଼ା ସୁରକ୍ଷା ମଧ୍ୟରେ ବିପୁଳ ଜନସମାଗମ ଭିତରେ ଏଠାରେ ଅନୁଷ୍ଠିତ ନୂଆବର୍ଷ ଉତ୍ସବ ପୂରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା । ଦୁବାଇର ବୁର୍ଜ ଖଲିଫାରେ ବିଶାଳ ଲେଜର୍ ପ୍ରଦର୍ଶନ ଏଥର ବେଶ୍ ଆକର୍ଷଣୀୟ ଥିଲା । ନ୍ୟୁୟର୍କ ସିଟିର ଟାଇମ୍ସ ସ୍କୋୟାରରେ ୨୦୨୬କୁ ସ୍ବାଗତ କରି ବଡ଼ଧରଣର ଉତ୍ସବ ଅନୁଷ୍ଠିତ ହୋଇଛି । ରିଓ ଡି ଜାନେରିଓ ଏଥର ଆତସବାଜି ରେକର୍ଡ ଭାଙ୍ଗିଥିବା ବେଳେ ଲକ୍ଷାଧିକ ଲୋକଙ୍କ ସମାଗମରେ ବିଚ୍ ଉତ୍ସବ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ନୂଆବର୍ଷକୁ ସ୍ବାଗତ କରି ଭାରତର ବିଭିନ୍ନ ସହରଗୁଡ଼ିକ ମଧ୍ୟ ଆଜି ଉତ୍ସବମୁଖର ହୋଇଛି।
