ବିଜୁବାବୁ କୋଟି କୋଟି ଓଡ଼ିଆଙ୍କ ହୃଦୟର ନେତା: ମୁଖ୍ୟମନ୍ତ୍ରୀ

ମହାନ୍ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।ବିଜୁବାବୁଙ୍କ ଜୀବନ ଥିଲା ଏକ ସଂଗ୍ରାମୀ ଜୀବନ । ସଂଗ୍ରାମ ହିଁ ଥିଲା ତାଙ୍କ ଜୀବନର ସବୁଠାରୁ ବଡ ପରିଚୟ । ସେ କ୍ଷମତାରେ ବେଶୀ ଦିନ ନଥିଲେ କିନ୍ତୁ ସବୁବେଳେ ଲୋକଙ୍କ ସାଥିରେ ଥିଲେ । ଓଡ଼ିଶା ଓ ଓଡ଼ିଆ ସବୁଥିରେ ଆଗରେ ରହିବ । ଏ ଲକ୍ଷ୍ୟ ନେଇ ସେ କାମ କରୁଥିଲେ ।ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ଆଜି ଆମ ସରକାର ୨୦ବର୍ଷ ପୂର୍ଣ୍ଣ କଲା । ବିଜୁବାବୁଙ୍କ ଆଦର୍ଶ ଓ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ କାମ କରିଚାଲିଛୁ । ଲୋକଙ୍କ ସ୍ୱାର୍ଥକୁ ଆଗରେ ରଖିଛୁ । ଲୋକଙ୍କ ହକ୍ କୁ ଆଗରେ ରଖିଛୁ । ସାଧାରଣ ଲୋକ ହିଁ ଆମ ପାଇଁ ଶ୍ରେଷ୍ଠ ।ବିଜୁବାବୁ ତାଙ୍କ ସମୟ ଠାରୁ ବହୁ ଆଗରେ ଥିଲେ । ସେ ଚାହୁଁଥିଲେ ବ୍ୟବସ୍ଥାର ଦ୍ରୁତ ପରିବର୍ତନ । ଲୋକଙ୍କ ଅବସ୍ଥାରେ ପରିବର୍ତନ । ଆମର ୫ଟି କାର୍ଯ୍ୟକ୍ରମ ହେଉଛି ବିଜୁବାବୁଙ୍କ ଚିନ୍ତାଧାରା ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ଆମର ମୋ ସରକାର କାର୍ଯ୍ୟକ୍ରମ ହିଁ ଲୋକଙ୍କୁ ମାଲିକ କରିପାରିଛି ।ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ ଓ ସାଧାରଣ ଲୋକ ପାଇଁ ତାଙ୍କ ଦରଦ ଯୋଗୁଁ ସେ ଆଜି କୋଟି କୋଟି ହୃଦୟର ନେତା ହୋଇ ରହିଛନ୍ତି ଓ ରହିଥିବେ । ଉତ୍ସବରେ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଯେ, ବିଜୁବାବୁ ଏକାଧାରରେ ଜଣେ ସୁଦକ୍ଷ ପାଇଲଟ୍‌, ସ୍ୱାଧୀନତା ସଂଗ୍ରାମୀ, ରାଜନୈତିଜ୍ଞ, ରାଷ୍ଟ୍ରନାୟକ , ଜନନାୟକ ଥିଲେ । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ଅତୁଳନୀୟ ଅବଦାନ ତାଙ୍କୁ ଯୁଗ ଯୁଗ ଧରି ମନେ ରଖିଥିବ । ବିଜୁବାବୁଙ୍କ ଏକ ଉକ୍ତି ଥିଲା , “ମୁଁ ଯଦି ସମଗ୍ର ପୃଥିବୀ ଉପରେ ଦୃଷ୍ଟିପାତ କରେ , ପ୍ରକୃତି କେଉଁ ଦେଶକୁ ଶ୍ରେଷ୍ଠରୂପେ ଗଢିଛି ବୋଲି ଅନୁଧ୍ୟାନ କରେ, ମୁଁ ଆଙ୍ଗୁଠି ନିର୍ଦ୍ଦେଶ କରି ଦେଖାଇବି…ଭାରତବର୍ଷକୁ । ମୁଁ ଚାହେଁ, ଏହି
ଉକ୍ତି ଓଡିଶା ପାଇଁ ପ୍ରଯୁଜ୍ୟ ହେଉ ।” ଓଡିଶାକୁ ବିଶ୍ୱର ଏକ ନମ୍ବର ରାଜ୍ୟରେ ପରିଣତ କରିପାରିଲେ ତାହାହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ ମତବ୍ୟକ୍ତ କରିଥିଲେ । ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ଓଡିଶାରେ ଶିଳ୍ପର ଅଭିବୃଦ୍ଧି, ପାରାଦୀପ ବନ୍ଦର ପ୍ରତିଷ୍ଠା , ମିଗ୍ କାରଖାନା , ମହିଳାଙ୍କ ସଶକ୍ତିକରଣ, ପଂଚାୟତିରାଜ
ବ୍ୟବସ୍ଥା ଆଦି ବିଜୁବାବୁଙ୍କର ବଳିଷ୍ଠ ଅବଦାନକୁ ରାଜ୍ୟବାସୀ ଭୁଲି ପାରିବେ ନାହିଁ ବୋଲି କହିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ଶ୍ରୀ ଅନନ୍ତ ନାରାୟଣ ଜେନା, ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡଃ. ଲେନିନ୍‌ ମହାନ୍ତି ପ୍ରମୁଖ ଯେଗଦେଇ ବିଜୁବାବୁଙ୍କ ସଂଗ୍ରୀମୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ କମିଶନର ତଥା
ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ସ୍ୱାଗତ ଭାଷଣ ଦେଇ ବିଜୁବାବୁଙ୍କୁ ବିଂଶ ଶତାବ୍ଦୀର ବିସ୍ମୟ ବୋଲି ଅଭିହିତ କରିଥିଲେ । ଏହି ଅବସରରେ ବିଜୁ
ବାବୁଙ୍କର ଜୀବନୀ ଉପରେ ପର୍ଯ୍ୟବସିତ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ସଂଖ୍ୟାକୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଉନ୍ନୋଚନ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନା ଅଧିକାରୀ ଶ୍ରୀମତୀ ଦିପ୍ତୀମୟୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।  ଏହି ସମାବେଶରେ ବହୁ ସଂଖ୍ୟାରେ ବିଜୁପ୍ରେମୀ ଜନସାଧାରଣ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରଛାତ୍ରୀ ଯୋଗଦେଇଥିଲେ ।

Spread the love