ଓଡ଼ିଶା-ମୋ ପରିବାରର ସହଯୋଗ:ବେଙ୍ଗାଲୁରୁରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ମୃତଦେହ

ଭବନେଶ୍ୱର: ଓଡ଼ିଶା-ମୋ ପରିବାର ଉଦ୍ୟମରେ ବେଙ୍ଗାଲୁରୁରେ ଏକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତଦେହ ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଛି ।

ସୂଚନାଯୋଗ୍ୟ, ବେଙ୍ଗାଲୁରୁର ଏକ ଏଲ.ଇ.ଡି ଫ୍ୟାକ୍ଟ୍ରିରେ କାମ କରୁଥିବା ଗଞ୍ଜାମ ଦିଗପହଣ୍ଡିର ପତଣ୍ଡା ଗ୍ରାମର ଓଡ଼ିଆ ଶ୍ରମିକ   ସନାତନଙ୍କର ଗତ ମାର୍ଚ୍ଚ ୪ ତାରିଖରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ପାଇ ଶୋକସନ୍ତପ୍ତ ପରିବାର ଲୋକ ତାଙ୍କର ମୃତଶରୀରକୁ ଓଡ଼ିଶା ଫେରାଇ ଆଣିବାକୁ ଚାହିଁଥିଲେ । କିନ୍ତୁ ସେଥିପାଇଁ ବିଭିନ୍ନ ପ୍ରକାର ଅସୁବିଧା ସୃଷ୍ଟି ହେଉଥିଲା । ଏହି ଖବର ମାନ୍ୟବର ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ  ସୂର୍ଯ୍ୟନାରାୟଣ ପାତ୍ରଙ୍କ ପାଖରେ ପହଂଚିଥିଲା । ଶ୍ରୀ ପାତ୍ର ସଙ୍ଗେ ସଙ୍ଗେ ଏହାକୁ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କୁ ଜଣାଇଥିଲେ । ଶ୍ରୀ ପଟ୍ଟନାୟକ ଏ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ସୂଚିତ କରିଥିଲେ । ଶେଷରେ ସମସ୍ତଙ୍କ ମିଳିତ ପ୍ରୟାସରେ ସ୍ୱର୍ଗତ  ସନାତନଙ୍କ ମୃତଦେହ ଆଜି ବିମାନଯୋଗେ ବେଙ୍ଗାଲୁରୁରୁ ବାହାରି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ୨ଟା ୨୦ ମିନିଟରେ ପହଂଚିଥିଲା ।

ବିମାନ ବନ୍ଦରରେ ଓଡ଼ିଶା-ମୋ ପରିବାରର ସହ ଆବାହକ ତଥା ମହାକାଳପଡା ବିଧାୟକ  ଅତନୁ ସବ୍ୟସାଚୀ ନାୟକ, ସଦସ୍ୟା  ଡେଜାଲିନ୍ ମହାପାତ୍ର ଏବଂ ପରାମର୍ଶଦାତା  ବିବେକାନନ୍ଦ ପଟ୍ଟନାୟକ ଓ ସମାଜସେବୀ  ସମୀର ପ୍ରଧାନ ପ୍ରମୁଖ ପହଂଚି ମୃତଶରୀରକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ମୁଖ୍ୟମନ୍ତ୍ରୀଙ୍କ ତରଫରୁ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ମୃତଦେହ ତାଙ୍କ ଗ୍ରାମ ପତଣ୍ଡାକୁ ଫେରାଇନେବାପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରିଦେଇଥିଲେ ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ବାଚସ୍ପତି ଶ୍ରୀ ପାତ୍ର ତଥା ଓଡ଼ିଶା-ମୋ ପରିବାରର ପ୍ରୟାସ ଫଳରେ ମୃତଶରୀର ନିଜ ଗାଁକୁ ଫେରିଆସିଥିବା ଯୋଗୁଁ ମୃତକଙ୍କ ପରିବାର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Spread the love