ହାତ ଛାଡି ଫୁଲ ଧରିଲେ ସିନ୍ଧିଆ

 ନୂଆଦିଲ୍ଲୀ, ୧୧/୦୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଦସ୍ୟ ଭାବେ ଦଳରେ ସାମିଲ କରିଛନ୍ତି ।

ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।  ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରେ ୨୨ ଦଳୀୟ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କମଲନାଥ ସରକାର ସଂକଟରେ ଥିବା ଚର୍ଚ୍ଚା ହେଉଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜେପିରେ ଯୋଗ ଦେବା ଉପରେ ଅନେକ ଚର୍ଚ୍ଚା ହୋଇଥିଲା । ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ମଧ୍ୟପ୍ରଦେଶ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ରାଷ୍ଟ୍ରୀୟ ଉପଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସେଠାରେ ଉପସ୍ଥିତ ରହିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସଦସ୍ୟ ଭାବେ ଦଳରେ ସାମିଲ କରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ ୧୮ ବର୍ଷ ହେଲା କଂଗ୍ରେସର ସଦସ୍ୟ ରହିଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ହର୍ଷବର୍ଦ୍ଧନ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ୨୨ ଜଣ ବିଧାୟକ କଂଗ୍ରେସରୁ ଇସ୍ତଫା ଦେବା ପରେ ଦଳକୁ ବଡ଼ ଝଟକା ଲାଗିଛି । କଂଗ୍ରେସ ଏବେ ରାଜ୍ୟରେ ସରକାର ବଞ୍ଚାଇବାକୁ ଉଦ୍ୟମ କରୁଛି । ସୂତ୍ର ଅନୁସାରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପାର୍ଟିର କିଛି ନେତାଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁକୁଲ ବାସନିକ, ବରିଷ୍ଠ ନେତା ହରୀଶ ରାୱତ ଓ ମଧ୍ୟ ପ୍ରଦେଶ କଂଗ୍ରେସ ମୁଖପାତ୍ର ଦୀପକ ବାବରିଆଙ୍କୁ ପାର୍ଟି ବିଧାୟକଙ୍କ ସହ ଆଲୋଚନା କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ସ୍ଥିତି ସମ୍ଭାଳିବାକୁ ଦାୟିତ୍ୱ ଦେଇଛନ୍ତି ।

Spread the love