କୃଷକଙ୍କ ସମସ୍ୟାକୁ କଂଗ୍ରେସ କର୍ମୀ ଓ ନେତା ଅଗ୍ରାଧିକାର ଦେଉ: ଭକ୍ତ

ଭୁବନେଶ୍ୱର; 7 ଅଗଷ୍ଟ 26: ବରଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ କାର୍ଯ୍ୟକାରିଣୀ ବୈଠକ ଓ ଏକ ମିଶ୍ରଣ ପର୍ବ ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ, ଓପିସିସି ସଭାପତି ଭକ୍ତ ଚରଣ ଦାସ, ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାର, ଓପିସିସି ସହ ସଭାପତି ସନ୍ତୋଷ ସିଂ ସାଲୁଜା, ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ଯୋଗ ଦେଇଥିଲେ। ଉକ୍ତ ସଭାରେ ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଓପିସିସି ସଭାପତି ଶ୍ରୀ ଦାସ କହିଲେ, ସ୍ୱର୍ଗତ କୃପାସିନ୍ଧୁ ଭୋଇଙ୍କ ସମୟରେ ଦିନେ ବରଗଡ କଂଗ୍ରେସର ଗଡ଼ ଥିଲା। ଏବେ ଆମ ସଂଗଠନ କେତେ ସୁଦୃଢ, କେତେ ଦୁର୍ବଳ ହୋଇଛି, ଆଜିର ସମୀକ୍ଷା ବୈଠକରୁ ଆମେ ଜାଣିପାରିଲେ। ଆସନ୍ତା ମାସେ ମଧ୍ୟରେ ଜିଲ୍ଲା ପରିଷଦ ଜୋନ୍ ଓ ପଞ୍ଚାୟତ କମିଟି ଗଠନ ପ୍ରକ୍ରିୟା ଶେଷ କରିବାକୁ ସେ ସମବେତ କାର୍ଯ୍ୟକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୁଥ ଲେଭେଲ୍ ଏଜେଣ୍ଟ – 2 ନିଯୁକ୍ତି କାର୍ଯ୍ୟ ଆସନ୍ତା ସପ୍ତାହେ ମଧ୍ୟରେ ସାରି ପରେ ପ୍ରତି ବୁଥ୍ ପାଇଁ ଯଦି ଆମେ 11ରୁ 51ସକ୍ରିୟ କାର୍ଯ୍ୟକର୍ତ୍ତା ଓ ସଭ୍ୟଙ୍କ ସମ୍ପୃକ୍ତି କରିପାରିଲେ, 2029 ଆମର ହେବ। ପ୍ରତି କମିଟି ନିୟମିତ ଭାବେ ବସିବାକୁ ହେବ। ଯୁବଛାତ୍ର ବର୍ଗକୁ ବୁଥରେ ଆମ ପରିବାରର ସଭ୍ୟ କରିବାକୁ ହେବ। ଆଦିବାସୀ ବର୍ଗକୁ ଜିଲ୍ଲାର ବିଭିନ୍ନ କମିଟିରେ ସ୍ଥାନ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବିଜେପି ମାନବତାର ଶତ୍ରୁ। ଉଭୟ ବିଜେପି ବିଜେଡି ଠାରୁ ରାଜନୀତି ଦୃଷ୍ଟିରୁ ତୃଣମୂଳ ସ୍ତରରେ ମଧ୍ୟ ଦୂରରେ ରହିବାକୁ ହେବ। ଯେଉଁ ସରକାରୀ ବିଭାଗ ସହ ଲୋକଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ରହୁଛି, ସେହି ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହ ଜଡ଼ିତ ହୋଇ ଲୋକଙ୍କ କାମ କରିବାକୁ ପଡ଼ିବ। ପ୍ରତି ବ୍ଲକରେ ପଦଯାତ୍ରା ହେବ ଓ ମୁଁ ଆସିବି ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ହରଦିପ ସିଂଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବତନ ବିଧାୟକ ସାଧୁ ନେପାକ, କଂଗ୍ରେସ ନେତା ନିପନ ଦାଶଙ୍କ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ଓ ଶହ ଶହ ସଂଖ୍ୟାରେ କର୍ମକର୍ତ୍ତା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *