ମହୁଲ ଗାଁ ରେ ବୋମାମାଡ଼: ବଡ଼ଭାଇ ମୃତ, ସାନଙ୍କ ହାତ ଛିଣ୍ଡିଲା

ଖୋର୍ଦ୍ଧା,୧୬।୯ : ପତିଆରା ପାଇଁ ୨ ଭାଇ ସାଜିଲେ ଶତ୍ରୁ। ମହୁଲି ମଦ ପିଇ ୨ଭାଇ ପ୍ରଥମେ ଝଗଡ଼ା କଲେ। ତା’ପରେ ରାଗ ସୁଝାଇବା ପାଇଁ ପରସ୍ପର ଜୀବନ ନେବାକୁ ପଛାଇଲେ ନାହିଁ। ଜନ୍ତୁ ଘଉଡ଼ାଇବା ପାଇଁ ରଖାଯାଇଥିବା ବୋମାକୁ ପରସ୍ପର ଉପରକୁ ଫିଙ୍ଗିଲେ। ଫଳରେ ବଡ଼ଭାଇ ମୋହନ ପାଢ଼ୀଙ୍କ ମୃତ୍ଯୁ ଘଟିଥ‌ିବା ବେଳେ ସାନ ଭାଇ ମଦନ ପାଢ଼ୀଙ୍କ ହାତ ଛିଣ୍ଡିଯାଇଛି। ଏଭଳି ଘଟଣା ମଙ୍ଗଳବାର ରାତି ସାଢେ ୧୦ଟାରେ ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ଗାଁରେ ଦେଖୁବାକୁ ମିଳିଛି। ଖବର ପାଇ ପୋଲିସ ଗାଁରେ ପହଞ୍ଚ୍ ମୃତଦେହ ଜବତକରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମଦନଙ୍କୁ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଛି। ହତ୍ୟାକାଣ୍ଡକୁ ନେଇ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଲିସ ଲୋକଙ୍କୁ ବୁଝାଶୁଝା କରିବା ପରେ ସେଠାରେ ରାତିରେ ଫୋର୍ସ ଜଗି ରହିଥିଲେ। ଏନେଇ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ମିଳିଥିବା ସୂଚନା ଅନୁସାରେ, ମହୁଲ ଗାଁରେ ଦୁଇ ଭାଇ ମୋହନ ଓ ମଦନ ଘର କରି ରହିବା ସହ ମହୁଲି ମଦ ବେପାର କରନ୍ତି । କିନ୍ତୁ ମଦ ବିକ୍ରି କରିବା ସ୍ଥାନକୁ ନେଇ କିଛିଦିନ ହେବ ଉଭୟଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟା ସମୟରେ ୨ଭାଇ ମହୁଲି ମଦ ପିଇ ଝଗଡ଼ା କରିଥିଲେ। ଏପରିକି ଦୁହେଁ ହାତାହାତି ହେବା ସହ ଗାଁ ଦାଣ୍ଡରେ ଗଡ଼ାଗଡ଼ି ହୋଇଥିଲେ। କିଛି ସମୟ ପରେ ଉଭୟେ ପରସ୍ପରର ଜୀବନ ନେବାକୁ ଚେଷ୍ଟା କରିଥିଲେ। ହାତୀ ଏବଂ ଅନ୍ୟ ଜନ୍ତୁ ଘଉଡ଼ାଇବା ପାଇଁ ଉଭୟଙ୍କ ଘରେ ରଖାଯାଇଥିବା ବୋମା ପରସ୍ପର ଉଭୟଙ୍କ ଉପରକୁ ଫିଙ୍ଗିଥିଲେ।

Spread the love

Leave a Reply

Your email address will not be published. Required fields are marked *