୨୦୪୭ରେ ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ରହିବ ମୁଖ୍ୟ ଭୂମିକା: ଡକ୍ଟର ପୁରଞ୍ଜନ ଦାସ

ଭୁବନେଶ୍ୱର, ଅଗଷ୍ଟ ୫: ବିକଶିତ ଭାରତର ସ୍ୱପ୍ନ ସାକାର କରିବା ସହ ବିକଶିତ ଓଡ଼ିଶା ଗଠନ ପାଇଁ ବିଜ୍ଞାନ, ପ୍ରଯୁକ୍ତି, ନବସୃଜନ ଓ ଯୁବଶକ୍ତିର ସମନ୍ୱିତ ପ୍ରୟାସ ଅପରିହାର୍ଯ୍ୟ ବୋଲି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର)ର ପ୍ରାକ୍ତନ ଉପ-ନିର୍ଦ୍ଦେଶକ (କୃଷି ସଂପ୍ରସାରଣ) ଡ଼କ୍ଟର ପୁରଞ୍ଜନ ଦାସ ମତ ରଖିଛନ୍ତି । ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ କୃଷି ମହାବିଦ୍ୟାଳୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ରେ ସୋମବାର ଆୟୋଜିତ “ଗ୍ଲୋବାଲ ଲେକ୍‌ଚର ସିରିଜ”ର ଏକ ବିଶେଷ ଅଧିବେଶନରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡକ୍ଟର ଦାସ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ଯୁବପିଢ଼ିଙ୍କ ଭୂମିକାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ ।
ନିଜ ବକ୍ତବ୍ୟରେ ଡକ୍ଟର ଦାସ କହିଥିଲେ ଯେ କୃଷି କ୍ଷେତ୍ରର ଆଧୁନିକୀକରଣ, ଖାଦ୍ୟଶସ୍ୟ ଉତ୍ପାଦନରେ ଉନ୍ନତ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ, ରାଜ୍ୟର ବିପୁଳ ଖଣିଜ ସଂପଦର ସୁଚିନ୍ତିତ ସଦୁପଯୋଗ, ଅତ୍ୟାଧୁନିକ କୌଶଳର ବିକାଶ ଏବଂ କୃତ୍ରିମ ବୁଦ୍ଧିମତା (ଏଆଇ)ର ବ୍ୟାପକ ପ୍ରୟୋଗ ମାଧ୍ୟମରେ ଓଡ଼ିଶା ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ନୂତନ ଉଚ୍ଚତାରେ ପହଂଚିପାରିବ । ସେ ଛାତ୍ରଛାତ୍ରୀଙ୍କୁ ନୂତନ ଜ୍ଞାନ, ନବସୃଜନ ଏବଂ ଉଦ୍ୟମିତା ପ୍ରତି ଆଗ୍ରହୀ ହେବା ସହ ସମାଜ ଓ କୃଷକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ ।
ଏହି ଅବସରରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଯୋଗ ଦେଇ ଡକ୍ଟର ଦାସଙ୍କ ବକ୍ତବ୍ୟକୁ ଅତ୍ୟନ୍ତ ପ୍ରେରଣାଦାୟକ ଓ ସମୟୋପଯୋଗୀ ବୋଲି କହିଥିଲେ । ଏଭଳି ଗ୍ଲୋବାଲ ଲେକ୍‌ଚର ସିରିଜ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ନେତୃତ୍ୱ ନେବାର ଶକ୍ତି ଏବଂ ରାଷ୍ଟ୍ର ଗଠନର ଦାୟିତ୍ୱବୋଧ ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ଏହାସହ ଆଗାମୀ ଦିନରେ ମଧ୍ୟ ଏଭଳି ଜ୍ଞାନବର୍ଦ୍ଧକ ଆଲୋଚନା ଓ ବକ୍ତୃତାର ଆୟୋଜନ ଜାରି ରଖିବାକୁ ମତ ଦେଇ ଡକ୍ଟର ଦାସଙ୍କୁ ତାଙ୍କ ମୂଲ୍ୟବାନ ଉପସ୍ଥିତି ପାଇଁ କୃତଜ୍ଞତା ଜଣାଇଥିଲେ ପ୍ରଫେସର ନନ୍ଦ ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଇଏଏସ୍‌ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଫେସର ସରୋଜ କୁମାର ମହାନ୍ତି ମୁଖ୍ୟ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ, ଅଶୁଂମାନ ଜେନା, ରାଜୀବ କୁମାର ବେହେରା ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ପ୍ରଫେସର ବିବୁଧ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସୋଆ ପକ୍ଷରୁ ଡକ୍ଟର ପୁରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ସମସ୍ତ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ, ଗବେଷକ ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଆଲୋଚନାରୁ ଉପକୃତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *