ସୋଆ ଆଇନ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍  କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୩୦/୦୯ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ଏସ୍‌ଏନ୍‌ଆଇଏଲ୍‌)ରୁ ଆଇନ୍ ପାଠ୍ୟକ୍ରମରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ବୁଧବାର ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ ଉତ୍ସବ ଆୟୋଜିତ ହୋଇଯାଇଛି ।  ୨୦୨୧ -୨୬ ବ୍ୟାଚର ବିଏଏଲ୍‌ଏଲ୍‌ବି (ଅନର୍ସ) ଓ ବିବିଏ ଏଲ୍‌ଏଲ୍‌ବି (ଅନର୍ସ), ୨୦୨୩-୨୬ ବ୍ୟାଚର ଏଲ୍‌ଏଲ୍‌ବି (ଅନର୍ସ) ଏବଂ ୨୦୨୫-୨୬ ବ୍ୟାଚର ଏଲ. ଏଲ.ଏମ୍ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି ।  ଏଥିରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ ଶପଥ ପାଠ କରାଇଥିଲେ । ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ ଆଇନ୍ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ଅନୁଯାୟୀ ସେମାନେ ଦେଶର ୧୦ମ ଶ୍ରେଷ୍ଠ ଆଇନ ଶିକ୍ଷାନୁଷ୍ଠାନ ଓ ୧୫ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇଛନ୍ତି । ତେଣୁ ସୋଆର ମାନକୁ ଊର୍ଦ୍ଧ୍ୱକୁ ନେବା ନିମନ୍ତେ ସେମାନେ ନିଶ୍ଚୟ ଉଦ୍ୟମ କରିବେ ବୋଲି ସେ କହିଥିଲେ ।

ସେ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଯେଉଁଠାକୁ ଯିବେ ସେଠାରେ ସେମାନଙ୍କ ସହ ବିଶ୍ୱବିଦ୍ୟାଳୟର ନାମ ଓ ଲୋଗୋ ଜଡିତ ରହିବ । ନିଜର କର୍ମକ୍ଷେତ୍ରରେ ସେମାନଙ୍କ ପ୍ରଦର୍ଶନ ଓ ଆଚରଣ ବିଶ୍ୱବିଦ୍ୟାଳୟର ସୁନାମକୁ ପ୍ରତିଷ୍ଠା କରିବ । ତେଣୁ ବିଶ୍ୱବିଦ୍ୟାଳୟ, ଅଭିଭାବକ ଓ ଅଧ୍ୟାପକମାନଙ୍କ ପ୍ରତି କୃତଜ୍ଞ ରହିବାକୁ ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

ସ୍ନାତକମାନଙ୍କୁ ସୋଆର ଆଲୁମନି ଭାବେ ପଞ୍ଜୀକୃତ ହେବାକୁ ପ୍ରଫେସର ନନ୍ଦ ଅନୁରୋଧ କରିଥିଲେ । ଜାତୀୟ ସ୍ତରରେ ଏବଂ ବିଶ୍ୱସ୍ତରରେ ମଧ୍ୟ ପରିଚିତ ହୋଇଥିବା ବିଶ୍ୱବିଦ୍ୟାଳୟର ସେମାନେ ଏବେ ‘ମାର୍ଗ ଦର୍ଶକ’ ବା ମଶାଲ ବାହକ ଭାବେ କାର୍ଯ୍ୟ କରିବେ । ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରିବା ସହ ସର୍ବୋଚ୍ଚ ନିଷ୍ଠା ଓ ସଚ୍ଚୋଟତାର ସହ କର୍ତବ୍ୟ ସଂପାଦନ କରିବାକୁ ସେ ଉପଦେଶ ଦେଇଥିଲେ ।

ବିଶ୍ୱରେ ଏକ ବଡ଼ ପରିବର୍ତନ ପରିଲକ୍ଷିତ ହେଉଥିବାବେଳେ ସାମ୍ପ୍ରତିକ ଯୁଗରେ କୃତ୍ରିମ ବୁଦ୍ଧିମତାର ବିପ୍ଳବ ଦ୍ରୁତ ଗତିରେ ବିସ୍ତାରିତ ହେଉଛି । ତେଣୁ ଛାତ୍ରଛାତ୍ରୀ ମାନେ ସତର୍କତାର ସହ ନୂତନ ପ୍ରଯୁକ୍ତିର ସଠିକ୍ ବ୍ୟବହାର କରିବା ଆବଶ୍ୟକ । ଏହା ଦ୍ୱାରା ସେମାନେ ନିଜର ପେସାଦାର ଦାୟିତ୍ୱକୁ ଅଧିକ ଦକ୍ଷତାର ସହ ସଂପାଦନ କରିପାରିବେ ବୋଲି ସେ ମତ ଦେଇଥିଲେ ।

“ପ୍ରକୃତ ଶିକ୍ଷା ଆଇନ ମହାବିଦ୍ୟାଳୟ ବାହାରୁ କର୍ମକ୍ଷେତ୍ର ଓ ଅଦାଲତରୁ ଆରମ୍ଭ ହୁଏ,” ବୋଲି ସେ କହିଥିଲେ । ବାସ୍ତବ ଜୀବନର ସମସ୍ୟା ଗୁଡ଼ିକ ବହୁମୁଖୀ ହୋଇଥିବାରୁ ସେଗୁଡ଼ିକର ସମାଧାନ ପାଇଁ ଦୃଢ଼, ସୂକ୍ଷ୍ମଦର୍ଶୀ ଓ ସୃଜନଶୀଳ ହେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।

ଏକ ସୁସ୍ଥ ସମାଜ ପାଇଁ ଏକ ସୁସ୍ଥ ଆଇନ ବ୍ୟବସ୍ଥା ଆବଶ୍ୟକ ବୋଲି ଦର୍ଶାଇ ସେ କହିଥିଲେ ଯେ ଏହାର ରକ୍ଷକ ଭାବେ ଆଇନ ଛାତ୍ରଛାତ୍ରୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ସେମାନେ ସମାଜର ଅସହାୟ ଲୋକଙ୍କ ସ୍ୱର ହେବା ସହ ନ୍ୟାୟ, ମାନବିକତା ଓ ସଚ୍ଚୋଟତାକୁ ସର୍ବଦା ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ । ଏସ୍‌ଏନ୍‌ଆଇଏଲ୍‌ର ବରିଷ୍ଠ ପ୍ରଫେସର ତଥା ପୂର୍ବତନ ଡିନ୍ ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହାର ଡିନ୍ ପ୍ରଫେସର ଏସ୍‌. ଏ. କେ. ଆଜାଦ କହିଥିଲେ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ଏକ ସ୍ମରଣୀୟ ଦିନ । ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟକୁ ସମାପ୍ତ କରି ଏକ ନୂତନ ଅଧ୍ୟାୟରେ ସେମାନେ ପ୍ରବେଶ କରୁଛନ୍ତି । ଆଇନ୍ ଶେଷ ପର୍ଯ୍ୟନ୍ତ ମଣିଷ ପାଇଁ ତା’ର ଅଧିକାର, ମର୍ଯ୍ୟାଦା, ସ୍ୱାଧୀନତା, ଦାୟିତ୍ୱ ଏବଂ ନ୍ୟାୟ ପାଇବାର ଅଧିକାର ସାବ୍ୟସ୍ତ କରିଥାଏ ବୋଲି ସେ କହିଥିଲେ । ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ସିନିୟର ପ୍ରଫେସର ମଧୁସୁଦନ ଦାସଙ୍କ ସମେତ ବିଭାଗୀୟ ମୁଖ୍ୟ ଏବଂ ଫ୍ୟାକଲ୍ଟି ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *