ଜନସହଭାଗିତା ଓ ସ୍ଥାୟୀ ସ୍ୱଚ୍ଛତାର ବାର୍ତ୍ତା ସହ ପୂର୍ବତଟ ରେଳପଥର ସ୍ୱଚ୍ଛତା ହିଁ ସେବା- ୨୦୨୬ ଅଭିଯାନ
ଭୁବନେଶ୍ୱର, ୧୮/୯: ‘ସ୍ୱଚ୍ଛତା ମେଁ ସହଭାଗ: ସ୍ୱଚ୍ଛ ଭାରତ, ବିକଶିତ ଭାରତ’ ବିଷୟବସ୍ତୁକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନରେ ଜନସହଭାଗିତା, ସ୍ୱଚ୍ଛତା ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଆଜି ଅଧିକାରୀ ଓ କର୍ମଚାରୀମାନଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ ଏବଂ ସ୍ୱଚ୍ଛତାକୁ ବ୍ୟକ୍ତିଗତ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲେ। ରେଳ କର୍ମଚାରୀମାନେ ନିଜେ ଉଦାହରଣ ସୃଷ୍ଟି କରିବା ସହିତ ଯାତ୍ରୀ, ହିତଧାରକ ଏବଂ ସାଧାରଣ ଜନତାଙ୍କୁ ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଭାବେ ସାମିଲ କରିବାକୁ ସେ ଆହ୍ୱାନ କରିଛନ୍ତି । ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ପୂର୍ବତଟ ରେଳପଥ ମୁଖ୍ୟାଳୟ, ସମସ୍ତ ମଣ୍ଡଳ, ରେଳ ଷ୍ଟେସନ, ଟ୍ରେନ, କାର୍ଯ୍ୟାଳୟ, ୱାର୍କସପ୍, ହସ୍ପିଟାଲ ଏବଂ ରେଳବାଇ ଆବାସିକ କଲୋନୀଗୁଡ଼ିକରେ ଆୟୋଜିତ ହେଉଛି। ଏହି ଅଭିଯାନରେ ‘ସ୍ୱଚ୍ଛତା ଟାର୍ଗେଟ୍ ୟୁନିଟ୍ଗୁଡ଼ିକର ରୂପାନ୍ତରଣ’, ‘ସ୍ୱଚ୍ଛ ପାଠଶାଳା – ସ୍ୱଚ୍ଛତା ପାଇଁ ଯୁବବର୍ଗ’, ‘ସଫେଇ ମିତ୍ର ସୁରକ୍ଷା ଏବଂ ସମ୍ମାନ ଶିବିର’, ‘ସ୍ୱଚ୍ଛତା ପାଇଁ ଜନ ଭାଗୀଦାରୀ’ ଏବଂ ‘ସ୍ୱଚ୍ଛତାରୁ ସମୃଦ୍ଧି’ ଭଳି ପାଞ୍ଚଟି ପ୍ରମୁଖ ସ୍ତମ୍ଭ ଉପରେ ପର୍ଯ୍ୟବସିତ।
ଏହି ଅଭିଯାନ ଅନ୍ତର୍ଗତ ସ୍ୱଚ୍ଛ ଷ୍ଟେସନ ଏବଂ ସ୍ୱଚ୍ଛ ରେଳଗାଡ଼ି ଅଭିଯାନ, ନାଳ ନର୍ଦମା ଓ ଶୌଚାଳୟ ସଫେଇ, ରେଳବାଇ କଲୋନୀଗୁଡ଼ିକରେ ସ୍ୱଚ୍ଛତା କାର୍ଯ୍ୟକ୍ରମ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ସଚେତନତା, ଉତ୍ପତ୍ତି ସ୍ଥଳରେ ଚାରି ପ୍ରକାରର ବର୍ଜ୍ୟବସ୍ତୁ ପୃଥକୀକରଣ, କମ୍ପୋଷ୍ଟ ପ୍ରସ୍ତୁତି, “ପ୍ଲାଷ୍ଟିକ୍ ବ୍ୟବହାରକୁ ନା କୁହନ୍ତୁ” ଅଭିଯାନ ଏବଂ ପୁରୁଣା ବର୍ଜ୍ୟବସ୍ତୁ ହଟାଇବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ସଫେଇ ମିତ୍ରମାନଙ୍କ କଲ୍ୟାଣ, ସୁରକ୍ଷା ଓ ସମ୍ମାନ ପ୍ରତି ମଧ୍ୟ ବିଶେଷ ପଦକ୍ଷେପମାନ ଗ୍ରହଣ କରାଯିବ।
ଅକ୍ଟୋବର ୧ ତାରିଖରେ “ଏକ ଦିନ, ଏକ ଘଣ୍ଟା, ଏକ ସାଥ୍” ଅଧୀନରେ ବ୍ୟାପକ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହା ପରେ ଅକ୍ଟୋବର ୨ ତାରିଖରେ ସ୍ୱଚ୍ଛ ଭାରତ ଦିବସ ପାଳନ କରାଯିବ। ଏହି ଅବସରରେ ସ୍ୱଚ୍ଛତା ଶପଥ, ପ୍ରଭାତ ଫେରୀ, ନୁକ୍କଡ଼ ନାଟକ ଏବଂ “ଏକ ପେଡ୍ ମା କେ ନାମ୍” ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହେବ। ସ୍ୱଚ୍ଛତା ସଂକଳ୍ପର ଅଂଶସ୍ୱରୂପ, ରେଳ କର୍ମଚାରୀମାନଙ୍କୁ ପ୍ରତିବର୍ଷ ୧୦୦ ଘଣ୍ଟା ସ୍ୱଚ୍ଛତା କାର୍ଯ୍ୟକଳାପ ପାଇଁ ଉତ୍ସର୍ଗ କରିବା ଏବଂ ଅନ୍ୟମାନଙ୍କୁ ଏହି ଉଦ୍ଦେଶ୍ୟରେ ଯୋଗଦାନ କରିବା ପାଇଁ ପ୍ରେରିତ କରିବା ଲାଗି ପ୍ରୋତ୍ସାହିତ କରାଯାଉଛି।
ସ୍ୱଚ୍ଛତା ହିଁ ସେବା ୨୦୨୬’ ମାଧ୍ୟମରେ ପୂର୍ବତଟ ରେଳପଥ ସ୍ୱଚ୍ଛତାକୁ ଏକ ନିରନ୍ତର ଜନ ଆନ୍ଦୋଳନରେ ପରିଣତ କରିବା, ଦାୟିତ୍ୱବାନ୍ ବର୍ଜ୍ୟବସ୍ତୁ ପରିଚାଳନା, ବ୍ୟବହାରିକ ପରିବର୍ତ୍ତନ ଏବଂ ଏକ ସ୍ୱଚ୍ଛ, ସୁସ୍ଥ ଓ ଅଧିକ ସ୍ଥାୟୀ ରେଳ ପରିବେଶ ଗଠନ ଦିଗରେ ସକ୍ରିୟ ସାମୁହିକ ସହଭାଗିତାକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି।
