NEET-UG ପରୀକ୍ଷା ପାଇଁ ସୁରକ୍ଷା ଦେବ ଏୟାରଫୋର୍ସ, ପ୍ରଶ୍ନପତ୍ର ନେବ ଭାରତୀୟ ବାୟୁସେନା
ନୂଆଦିଲ୍ଲୀ : NEET-UG ପରୀକ୍ଷାରେ ହେଉଥିବା ଜାଲିଆତି ଏବଂ ପେପର ଲିକକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG 2026 ପୁନଃ-ପରୀକ୍ଷାର ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର ସହାୟତା ନିଆଯିବ । ଦେଶର କୌଣସି ଜାତୀୟ ପ୍ରବେଶିକା ପରୀକ୍ଷାର ପରିଚାଳନା ପାଇଁ ଭାରତୀୟ ସେନାକୁ ସାମିଲ କରାଯିବା ଇତିହାସରେ ଏହା ପ୍ରଥମ ଘଟଣା ।
ଗତ ମେ ୩ ତାରିଖରେ ହୋଇଥିବା NEET-UG ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ସାରା ଦେଶରେ ତୀବ୍ର ପ୍ରତିବାଦ ହୋଇଥିଲା । ଏହାପରେ ପରୀକ୍ଷାକୁ ବାତିଲ କରାଯାଇ ପୁନଃ-ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି । ବାୟୁସେନାର ସ୍ୱତନ୍ତ୍ର ବିମାନ ଗୁଡ଼ିକ ପ୍ରଶ୍ନପତ୍ର ଛପା ହେଉଥିବା ପ୍ରେସ୍ରୁ ସିଧାସଳଖ ଦେଶର ୧୮ଟି ଏୟାରଫୋର୍ସ ଷ୍ଟେସନକୁ ପ୍ରଶ୍ନପତ୍ର ପହଞ୍ଚାଇବେ । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏହି ପ୍ରଶ୍ନପତ୍ରଗୁଡ଼ିକୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯିବ ।
NTA ମହାନିର୍ଦ୍ଦେଶକ ଅଭିଷେକ ସିଂହ କହିଛନ୍ତି ଯେ, ସରକାର ପରୀକ୍ଷାର ସ୍ୱଚ୍ଛତା ରକ୍ଷା କରିବା ପାଇଁ ପ୍ରତିବଦ୍ଧ । ଏହି ପେନ୍-ଏଣ୍ଡ-ପେପର ମୋଡ୍ ପରୀକ୍ଷାରେ ଦେଶ ଓ ବିଦେଶର ପ୍ରାୟ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବେ ଏବଂ ଏଥିପାଇଁ ଖୁବ୍ ଶୀଘ୍ର ନୂଆ ଆଡମିଟ୍ କାର୍ଡ ଜାରି କରାଯିବ ।
