ହାଇଦ୍ରାବାଦରେ ସୋଆ ପକ୍ଷରୁ ‘ଆଲିସିପ୍ ++ ୨.୦’ ଅନୁଷ୍ଠିତ

ଭୁବନେଶ୍ୱର , ମେ ୧୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ଶୁକ୍ରବାର ହାଇଦ୍ରାବାଦ ଠାରେ ଆୟୋଜିତ ନେତୃତ୍ୱ କୈନ୍ଦ୍ରିକ ସମ୍ମିଳନୀ ‘ଆଲିସିପ୍ ++ ୨.୦’ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଶିଳ୍ପ, ମାନବ ସମ୍ବଳ ଓ ଶିକ୍ଷା କ୍ଷେତ୍ରର ବରିଷ୍ଠ ନେତୃବର୍ଗ ସାମିଲ ହୋଇ ବୃତିଗତ କ୍ଷେତ୍ରରେ ଜେନ୍‌-ଜି ବର୍ଗର ସମ୍ପୃକ୍ତି ଓ ନେତୃତ୍ୱ ଦକ୍ଷତାକୁ ନେଇ ଆଲୋଚନା କରାଯାଇଥିଲା ।
ଏହି ସମ୍ମିଳନୀରେ ‘ପ୍ରାକ୍ଟାଇଜିଂ ଆଲିସିପ୍ ଇନ୍ ଜେନ୍‌-ଜି’ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ବେଳେ ଏକ ୱାନ୍ ଟୁ ୱାନ୍ ମଧ୍ୟ କରାଯାଇଥିଲା । ଭାରତୀୟ ଆଥଲେଟିକ୍ ସଂଘର ସମ୍ପାଦକ ଡକ୍ଟର ଜି. ଶ୍ରୀନିବାସ ପଟ୍ଟନାୟକ ଯୋଗ ଦେଇ ଯୁବବର୍ଗଙ୍କ କ୍ଷେତ୍ରରେ ନେତୃତ୍ୱ, ଶୃଙ୍ଖଳା, ମାର୍ଗଦର୍ଶନ ଏବଂ ବିଶ୍ୱାସ ଓ ସହନଶୀଳତାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ ।
କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର ଯୋଗ ଦେଇ ବିଶ୍ୱବିଦ୍ୟାଳୟର ସଫଳତା ବଖାଣିବା ସହ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ ।
ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ସହଭାଗିତା ଏବଂ ନେତୃତ୍ୱ, ନବୀକରଣ ଏବଂ ମିଳିତ ଅଗ୍ରଗତିକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ସୋଆର କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇବା ହିଁ ଆଲିସିପ୍ ++ ୨.୦ର ମୁଖ୍ୟ ଉଦ୍ଦେଶ୍ୟ । ସୋଆର ଡିନ୍ କର୍ପୋରେଟ ରିଲେସନ୍ସ ଆଣ୍ଡ ପ୍ଲେସ୍‌ମେଂଟ ଡକ୍ଟର ରାଜ କୁମାର ହୋତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ। ଏହି ଅବସରରେ ଆୟୋଜିତ ଏକ ଆଲୋଚନାଚକ୍ରରେ ଅନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ଜେନ୍‌-ଜି ବୃତିଧାରୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ କିଭଳି କାର୍ଯ୍ୟ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲ।।। ଆଲୋଚନାକୁ ଆଇଆଇଟି ଦିଲ୍ଲୀର ପ୍ରଫେସର ତଥା ସୋଆର ପୁରାତନ ଛାତ୍ର ପ୍ରଫେସର ସଞ୍ଜୟ ଧୀର ପରିଚାଳନା କରିଥିବା ବେଳେ ଏମର୍ଜିଂ ଟ୍ୟାଲେଂଟ ଲିଡ୍‌–ଇଣ୍ଡିଆ ଆଣ୍ଡ ଏପିଜେ ଅଫ୍ ଆକାମାଇ ଟେକ୍ନୋଲୋଜିସ୍ ପକ୍ଷରୁ ଶ୍ରୀମତି ରଚିତା ମହାଦେବ, ଏନ୍‌ସିସି ଲିମିଟେଡ୍‌ର ଉପସଭାପତି (ମାନବ ସମ୍ବଳ) ଶ୍ରୀ ବିକ୍ରମ କେ. ନାୟକ, ହାଇଦ୍ରାବାଦ ସ୍ଥିତ କେଓଲିସ୍‌ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଡକ୍ଟର ରୀନା ଦାସ ଏବଂ ରେକିଟର ମାନବ ସମ୍ବଳ ମୁଖ୍ୟ (ଗ୍ଲୋବାଲ ହବ୍‌) ଶ୍ରୀମତି ଇଷାଦର୍ଶୀ ପି. ମିଶ୍ର ସାମିଲ ହୋଇ ନିଜର ମତ ରଖିଥିଲେ । ଏହି ଆଲୋଚନାଚକ୍ରରେ କାର୍ଯ୍ୟକାରୀଙ୍କ ରୁପାନ୍ତରଣ, ମନସ୍ତାତ୍ୱିକ ସୁରକ୍ଷା, ସମାବେଶୀ ନେତୃତ୍ୱ, ନିୟୋଜନ, ମାର୍ଗଦର୍ଶନ, ଜ୍ଞାନ ଆହରଣର ଇଚ୍ଛାଶକ୍ତି, କ୍ୟାମ୍ପସ୍‌ରୁ କର୍ପୋରେଟ ରୂପାନ୍ତରଣ ଏବଂ ଏଭଳି ଏକ କାର୍ଯ୍ୟକ୍ଷେତ୍ର ପରିବେଶ ସୃଷ୍ଟି କରିବା ଯେଉଁଠାରେ ବୃତିଗତ ଜେନ୍‌-ଜି ମାନେ ସଶକ୍ତ ହୋଇ ଉତମ ପରିବେଶରେ କାର୍ଯ୍ୟ କରିପାରିବେ ସେ ନେଇ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସୋଆର ଉପନିର୍ଦ୍ଦେଶିକା ସୁଶ୍ରୀ କାଜଲ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ହାଇଦ୍ରାବାଦର କର୍ପୋରେଟ ଜଗତର ନେତୃତ୍ୱ, ମାନବ ସମ୍ବଳ ଅଧିକାରୀ ଏବଂ ଶିକ୍ଷା କ୍ଷେତ୍ରର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *