ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ଆବଶ୍ୟକତା ରହିଛି: ସୋଆ ଉପସଭାପତି

ଭୁବନେଶ୍ୱର, ସେପ୍ଟେମ୍ବର ୨୫: ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବାର ପ୍ରମୁଖ ଅଂଗ । ତେଣୁ ସେମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଉନ୍ନତ ମାନର ଶିକ୍ଷା, ଗବେଷଣା ଓ ନବସୃଜନର ସୁଯୋଗ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ମତ ରଖିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍ -୧ପକ୍ଷରୁ ଶୁକ୍ରବାର ଆୟୋଜିତ ବିଶ୍ୱ ଫାର୍ମାସିଷ୍ଟସ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୋଆ ଉପସଭାପତି କହିଥିଲେ ଯେ ବହୁ ବିଭାଗୀୟ ରୋଗୀ ସେବାରେ ଅଧିକ ଅଂଶ ଗ୍ରହଣ ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଫାର୍ମାସିଷ୍ଟ ମାନଙ୍କର ଅବଦାନର ଯଥୋଚିତ ସ୍ୱୀକୃତିର ଆବଶ୍ୟକତା ରହିଛି ।
ଚଳିତ ବର୍ଷ ବିଶ୍ୱ ଫାର୍ମାସିଷ୍ଟ ଦିବସର ବିଷୟବସ୍ତୁ “ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟମାନଙ୍କୁ ସଶକ୍ତ କରିବା” ପ୍ରସଙ୍ଗରେ ମତ ରଖି ଶ୍ରୀମତି ଦାସ କହିଥିଲେ ଏହା ସମସ୍ତଙ୍କ ପାଇଁ ବିଶେଷ ମହତ୍ୱ ରଖେ । ଗୋଟିଏ ବିଶ୍ୱବିଦ୍ୟାଳୟ ଭାବେ କେବଳ ଯୋଗ୍ୟ ପେସାଦାର ଫାର୍ମାସିଷ୍ଟ ସୃଷ୍ଟି କରିବାରେ ସୀମିତ ନ ରହି ସେମାନଙ୍କୁ ଦକ୍ଷ, ନୈତିକ ଓ ପ୍ରମାଣ ଭିତିକ ଜ୍ଞାନରେ ସମୃଦ୍ଧ ଓ ପରିବର୍ତନଶୀଳ ସ୍ୱାସ୍ଥ୍ୟସେବାର ଆବଶ୍ୟକତା ପୂରଣ ପାଇଁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀମତି ଦାସ କହିଥିଲେ ।
ଏହି ଅବସରରେ ଓଡ଼ିଶା ରାଜ୍ୟ ଔଷଧ ନିୟନ୍ତ୍ରକ ଶ୍ରୀମତି ମାମିନା ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଫାର୍ମାସିଷ୍ଟ ମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଭବିଷ୍ୟତ ନିମନ୍ତେ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଉଥିବା ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଆଡିସ୍‌ନାଲ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚିକିତ୍ସା କ୍ଷେତ୍ରରେ ଜଣେ ଡାକ୍ତରଙ୍କ ସହିତ ଫାର୍ମାସିଷ୍ଟ ମାନଙ୍କର ଭୂମିକା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ ।
ସେହିପରି ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରୋଗୀମାନଙ୍କୁ ଉତମ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କର ଗୁରୁଦାୟିତ୍ୱ ରହିଛି ବୋଲି କହିଥିଲେ ।
ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫାର୍ମାସିଷ୍ଟମାନଙ୍କୁ ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ ବୋଲି ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମକୁ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ଫାର୍ମାସୀ ବିଭାଗର ମୁଖ୍ୟ ଡକ୍ଟର ଯସ୍ମିନ୍ ପଣ୍ଡା ପରିଚାଳନା କରିବା ସହ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଫାର୍ମାସିଷ୍ଟ ମାନଙ୍କୁ ସମ୍ମାନିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ମୁଖ୍ୟ, ଡାକ୍ତର, ଫାର୍ମାସିଷ୍ଟ ଓ ନର୍ସିଂ ଷ୍ଟାଫମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *