ଅଷ୍ଟମ ଥର ମହିଳା ଏସିଆ କପ୍ ଚାମ୍ପିଅନ୍ ଭାରତ, ଟ୍ରଫି ନନେଇ ବି ବିଜୟ ଉତ୍ସବ
ଅଷ୍ଟମ ଥର ମହିଳା ଏସିଆ କପ୍ କ୍ରିକେଟ୍ ଟ୍ରଫି ଜିତିଲା ଭାରତ । ଗତକାଲି ଶ୍ରୀଲଙ୍କା ବିପକ୍ଷ ଫାଇନାଲ୍ ମ୍ୟାଚ୍ କୁ ୭୨ ରନ୍ ରେ ଜିତି ହର୍ମନପ୍ରୀତ୍ କୌରଙ୍କ ଦଳ ଗୌରବ ଅର୍ଜନ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୧୮୩ ରନ୍ ସଂଗ୍ରହ କରିଥିଲା । ପ୍ରାରମ୍ଭିକ ଯୋଡ଼ି ସ୍ମୃତି ମନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ୱିକେଟ୍ ପାଇଁ ୧୨ ଦଶମିକ ୫ ଓଭରରେ ୧୨୯ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ । ଶେଫାଳି ୩୯ ବଲ୍ ରୁ ୬୮ ରନ୍ ଓ ସ୍ମୃତି ୩୯ ବଲ୍ ରୁ ୫୯ ରନ୍ କରି ଥିଲେ। ପରେ ହର୍ମନପ୍ରୀତ୍ କୌର୍ ୧୪, ରିଚା ଘୋଷ ୧୭ ଓ ଗୁନଲନ କମଳିନୀ ୫ ବଲ୍ ରୁ ୧୫ ରନ୍ କରି ଅପରାଜିତ ଥିଲେ ।
ଶ୍ରୀଲଙ୍କା ପକ୍ଷରୁ ମିତାଲି ଅଯୋଧ୍ୟା, ଚମାରି ଆଟାପାଟ୍ଟୁ, ଚାମୁଡ଼ି ପ୍ରବୋଧା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଶ୍ରୀଲଙ୍କା ସମାନ ୧୧୧ ରନ୍ ରେ ଅଲ୍ ଆଉଟ୍ ହୋଇଥିଲା । ଅଧିନାୟିକା ଚମାରି ଆଟାପାଟ୍ଟୁ ସର୍ବାଧିକ ୩୬ ରନ୍ କରିଥିଲେ । ଭାରତ ପକ୍ଷରୁ ଶ୍ରୀ ଚାରଣୀ ସର୍ବାଧିକ ୪ ୱିକେଟ୍ ଓ ଦୀପ୍ତି ଶର୍ମା ୩ ୱିକେଟ୍ ନେଇଥିଲେ । କ୍ରାନ୍ତି ଗୌଡ଼, ଶେଫାଳି ବର୍ମା, ପ୍ରେମା ରାୱତ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ଏପଟେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଭଳି ମହିଳା କ୍ରିକେଟ୍ ଦଳ ଏସୀୟ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ମୋହସିନ ନକ୍ ଭୀଙ୍କ ହାତରୁ କପ୍ ନେଇ ନାହାନ୍ତି । ବିସିସିଆଇ ପକ୍ଷରୁ ଏସିସିର ଉପାଧ୍ୟକ୍ଷ କିମ୍ବା ଆୟୋଜକ ଏମିରେଟ୍ସ କ୍ରିକେଟ ବୋର୍ଡର କୌଣସି ଅଧିକାରୀ ଟ୍ରଫି ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ନକ୍ ଭୀ ନିଜେ ଟ୍ରଫି ଦେବା ପାଇଁ ଜିଦ୍ ଧରି ବସିଥିଲେ । ଫଳରେ ଭାରତୀୟ ଦଳର କୌଣସି ଖେଳାଳି ମଞ୍ଚକୁ ଯାଇନଥିଲେ । ନକ୍ ଭୀ ରନର୍ସଅପ୍ ଶ୍ରୀଲଙ୍କା ଦଳର ଅଧିନାୟିକା ଚମାରୀ ଅଟ୍ଟାପଟ୍ଟୁଙ୍କୁ ଚେକ୍ ପ୍ରଦାନ କରିବା ପରେ ଉପସ୍ଥାପକ ଫରଭିଜ ମହରୁଫ୍ ପୁରସ୍କାର ବିତରଣ ସଭାକୁ ଶେଷ କରିଦେଇଥିଲେ ।
ଚାମ୍ପିଅନ୍ ଟ୍ରଫିକୁ କର୍ମଚାରୀମାନେ ମଞ୍ଚରୁ ହଟାଇ ନେଇଥିଲେ । ଚମତ୍କାର ଫିଲ୍ ଡିଂ ପାଇଁ ନନ୍ଦିନୀ ଶର୍ମା, ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆଙ୍କଠାରୁ ମେଡାଲ ଗ୍ରହଣ କରିଥିଲେ । ଏପଟେ ଭାରତୀୟ ଖେଳାଳିମାନେ ଡ୍ରେସିଂ ରୁମରେ ପରସ୍ପରକୁ ମେଡାଲ ପିନ୍ଧାଇ ବିନା ଟ୍ରଫିରେ ବିଜୟ ଉତ୍ସବ ପାଳନ କରିଥିଲେ ।
