ଅସହ୍ୟ ତାତି ; ମନ୍ତ୍ରୀ କହିଲେ ବଢ଼ିପାରେ ସ୍କୁଲ, କଲେଜ୍ ଛୁଟି
ମୁଣ୍ଡଫଟା ଖରା , ଭୂଇଁ ତତଲା, ଆକାଶରୁ ସତେ ଯେମିତି ଅଗ୍ନି ବର୍ଷା । ତାତି ବଢ଼ିବାରୁ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ ଘୋଷଣା କରାଯାଇଛି । ରାଜ୍ୟର ୨୦ରୁ ଅଧିକ ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲାରେ ୫ ଦିନ ଅର୍ଥାତ୍ ଆସନ୍ତା ୨୭ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି । ସେହିଭଳି କୋରାପୁଟ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩ ଦିନିଆ ବନ୍ଦ ପାଇଁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ପାଇଁ ଆସନ୍ତା ୨୫ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି । ସେପଟେ ସମ୍ବଲପରରେ ଛୁଟି ଅବଧି ବଢ଼ାଯାଇଛି । ପୂର୍ବରୁ ୨୩ ତାରିଖ ଯାଁଏ ଛୁଟି ଘୋଷଣା କରାଯାଇଥିଲା । ଏବେ ୨୭ ତାରିଖ ଯାଏଁ ଛୁଟି ଘୋଷଣା ହୋଇଛି । ତାତି ବଢ଼ିଲେ ଆଗକୁ ସ୍କୁଲ ଛୁଟି ବଢ଼ିବ ବୋଲି କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ୪୧.୪ ଡିଗ୍ରି ରେକର୍ଡ। ସମ୍ବଲପୁର ୩୮.୬ ଡିଗ୍ରି, ହୀରାକୁଦରେ ୩୮.୪ ଡିଗ୍ରି, କେନ୍ଦୁଝର ୩୮.୪ ଡିଗ୍ରି, ରାଉରକେଲାରେ ୩୭.୬ ଡିଗ୍ରି, ବାଲେଶ୍ୱର ୩୭.୬ ଡିଗ୍ରି, ଭୁବନେଶ୍ୱରରେ ୩୬.୫ଡିଗ୍ରି ଓ ଚାନ୍ଦବାଲିରେ ୩୫.୮ ଡିଗ୍ରି ରେକର୍ଡ ।
ଉପକୂଳ ଓଡ଼ିଶାରେ ବି ପ୍ରବଳ ତାତି। ସମୁଦ୍ର କୁଳିଆ ଅଞ୍ଚଳରେ ଗରମ ପବନ ବହୁଛି । ଅସହ୍ୟ ହେଲାଣି ଗୁଳୁଗୁଳି । ଦିନ ୯ ଟା ବାଜିଲା ବେଳକୁ ବାହାରକୁ ବାହାରିବା କଷ୍ଟକର ହୋଇପଡୁଛି । ଦିନ ବାରଟା ବାଜିଲେ ରାସ୍ତାଘାଟ ସବୁ ଶୂନ ସାନ । ଆଉ ଯେତେବେଳେ ଲୋକେ ବଜାରକୁ ଆସୁଛନ୍ତି ସେତେବେଳେ ଆଖୁରସ, ଦହିବରା ଆଳୁ ଦମ ଆଉ ତରଭୁଜ ଦୋକାନରେ ଭିଡ଼ ଜମାଉଛନ୍ତି ।
