ଉପରମୁହାଁ ପାରଦ, ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ
ଏପ୍ରିଲ ମାସ ଆରମ୍ଭ ହେଉ ହେଉ ଉପରମୁହାଁ ହୋଇଛି ପାରଦ । ସକାଳ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି । ଆର୍ଦ୍ରତା ଅଧିକ ଯୋଗୁଁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ବିଭିନ୍ନ ସ୍ଥାନରେ ପାରଦ ୪୦ ଡିଗ୍ରି ଉପରେ ରହିଛି । ବିଶେଷକରି ଝାରସୁଗୁଡ଼ାରେ ୪୧.୬ ଡିଗ୍ରି ପାରଦ ରେକର୍ଡ ହୋଇଛି । ଯଦିଓ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇପାରେ। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ନିକଟସ୍ଥ ଅଞ୍ଚଳଗୁଡ଼ିକରେ ପାଗ ଆଂଶିକ ମେଘୁଆ ରହିପାରେ। ତେବେ ପଶ୍ଚିମ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ । ଦିନବେଳା ତାତି ସାଙ୍ଗକୁ ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସମ୍ଭାବନା ରହିଛି । ଆଜି ପାଇଁ କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ୩୦ରୁ ୪୦ କିମି ବେଗରେ ପବନ, ଘଡ଼ଘଡ଼ି ସହ ବର୍ଷା ହେବ । ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୫ ତାରିଖରୁ କାଳବୈଶାଖୀ ଧୀରେ ଧୀରେ ବଢ଼ିବ। ଉପକୂଳ ଓ ସଂଲଗ୍ନ ଆଭ୍ୟନ୍ତରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ । ୬ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ ।
