ଓଡ଼ିଶାର ରେଳ ସେବାକୁ ବଡ଼ ଉପହାର, ଗଡ଼ିବ ପୁରୀ-କୋରାପୁଟ ନୂଆ ଟ୍ରେନ୍ !

ଭୁବନେଶ୍ବର: ଗଡ଼ିବ ପୁରୀ-କୋରାପୁଟ ନୂଆ ଟ୍ରେନ୍ !  ଚାଲିବ ବ୍ରହ୍ମପୁର-ସୁରଟ ଏକ୍ସପ୍ରେସ । ରାଜ୍ୟରେ ରେଳ ସଂଯୋଗୀକରଣର ସମ୍ପ୍ରସାରଣ ଏବଂ ଯାତ୍ରୀ ସେବାର ଗୁଣାତ୍ମକ ମାନରେ ଉନ୍ନତି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୁଗ୍ମ ଭାବେ ଦୁଇଟି ନୂତନ ରେଳ ସେବାର ନିୟମିତ ଚଳାଚଳକୁ ଶୁଭାରମ୍ଭ କରିବେ। ପୁରୀ ରେଳଷ୍ଟେସନରୁ “ପୁରୀ–କୋରାପୁଟ ସ୍ପେଶାଲ” ଏବଂ ବ୍ରହ୍ମପୁର ରେଳଷ୍ଟେସନରୁ “ବ୍ରହ୍ମପୁର–ଉଧନା (ସୁରଟ) ଅମୃତ ଭାରତ ସ୍ପେଶାଲ” ଟ୍ରେନ୍ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରାଯିବ।

ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯାତ୍ରୀବାହୀ ରେଳ ସେବା ଓଡ଼ିଶା ସହିତ ପଶ୍ଚିମ ଭାରତର ସଂଯୋଗୀକରଣକୁ ଯଥେଷ୍ଟ ଉନ୍ନତ କରିବ । ଏହାଦ୍ୱାରା ଯୋଗାଯୋଗ, ଯାତ୍ରୀ ସୁବିଧା, ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆଞ୍ଚଳିକ ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ ବ୍ୟାପକ ପ୍ରଗତି ହେବ ବୋଲି ଆଶା କରାଯାଉଛି । ପୁରୀ–କୋରାପୁଟ ଏକ୍ସପ୍ରେସ ପ୍ରଚଳନ ଦ୍ୱାରା ପୁରୀ ଏବଂ ଆଦିବାସୀ ବହୁଳ ଅଞ୍ଚଳ କୋରାପୁଟ ମଧ୍ୟରେ ସିଧାସଳଖ ରେଳ ସଂଯୋଗ ହେବ । ଟ୍ରେନଟି ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, ଅନୁଗୁଳ, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, କାକିରିଗୁମା ଏବଂ ଦାମନଯୋଡ଼ି ଷ୍ଟେସନ ଦେଇ ଚଳାଚଳ କରିବ । ଫଳରେ ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ରେଳ ସଂଯୋଗୀକରଣ ଅଧିକ ସୁଦୃଢ଼ ହେବ । ଏହି ଟ୍ରେନ୍ ପୁରୀରୁ ପ୍ରତି ସୋମବାର, ଗୁରୁବାର ଓ ଶନିବାର ଏବଂ କୋରାପୁଟରୁ ପ୍ରତି ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଚାଲିବ । ରେଳ ସେବା ଦ୍ୱାରା ଶ୍ରଦ୍ଧାଳୁ, ପର୍ଯ୍ୟଟକ, ଛାତ୍ରଛାତ୍ରୀ, ରୋଗୀ ଏବଂ ବ୍ୟବସାୟୀମାନେ ଉପକୃତ ହେବେ ।

ସେହିପରି ସପ୍ତାହରେ ତିନି ଦିନ ଚଳାଚଳ କରୁଥିବା ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସକୁ ଏଣିକି ଏକ ଦୈନନ୍ଦିନ ସେବାରେ ପରିଣତ କରାଯାଉଛି। ଓଡ଼ିଶାକୁ ଗୁଜରାଟ ସହିତ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ପ୍ରମୁଖ ରାଜ୍ୟଗୁଡ଼ିକୁ ସେବା ଯୋଗାଇ ଆସୁଛି । ଏହି ଟ୍ରେନ୍ କୁ ପ୍ରତିଦିନ ଚଳାଚଳ କରିବା ଦ୍ୱାରା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ଅନ୍ୟାନ୍ୟ ଯାତ୍ରୀମାନଙ୍କର ସୁଗମ ଗତିବିଧି ସହଜ ହେବ । ଦେଶର ପ୍ରମୁଖ ଶିଳ୍ପ, ବାଣିଜ୍ୟ ଏବଂ ନିଯୁକ୍ତି କେନ୍ଦ୍ରଗୁଡ଼ିକ ମଧ୍ୟରେ ସଂଯୋଗୀକରଣକୁ ସୁଦୃଢ଼ କରିବା ସହ ସମ୍ପୃକ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ବ୍ୟବସାୟିକ କାର୍ଯ୍ୟକଳାପକୁ ଅଧିକ ସମର୍ଥନ ପ୍ରଦାନ କରିବ ।

 

Spread the love

Leave a Reply

Your email address will not be published. Required fields are marked *