କମୁଛି ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ଜଳ, ବଢୁଛି ତଳିଆ ଅଞ୍ଚଳବାସୀଙ୍କ ଦୁର୍ଦ୍ଦଶା
ଭଦ୍ରକ: କମୁଛି ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ଜଳ । କିନ୍ତୁ ତଳିଆ ଅଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ିଛି । ସାଳନ୍ଦୀ ବନ୍ୟା ଯୋଗୁ ଭଦ୍ରକ ବ୍ଲକ ଦେଉଳି ପାଳ ଓ ବୋଇତାଳୁ ମାହାରା ଗାଁର ଲୋକମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଏବେବି ଅନେକ ଲୋକଙ୍କ ଘର ଆଗରେ ବନ୍ୟା ପାଣି ଚାଲିଛି । ଭୋକ ଉପାସରେ ଦିନ କାଟୁଛନ୍ତି ଲୋକ। ଗାଁକୁ କୌଣସି ପ୍ରଶାସନିକ ଅଧିକାରୀ ଆସିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ହୀରାକୁଦର ୨୮ ଟି ଗେଟ୍ ଦେଇ ଆସୁଛି ବନ୍ୟା ଜଳ:
ଏପଟେ ହୀରାକୁଦର ୨୮ ଟି ଗେଟ୍ ଦେଇ ଆସୁଛି ବନ୍ୟା ଜଳ । ତେବେ ଗତକାଲି ଅପେକ୍ଷା ଆଜି ମହାନଦୀରେ କମୁଛି ବନ୍ୟାଜଳ । ଉପରମୁଣ୍ଡରୁ ଆସୁଥିବା ପାଣି ଯୋଗୁଁ ମୁଣ୍ଡୁଳିରେ ଜଳପ୍ରବାହ କ୍ରମଶଃ କମିବାରେ ଲାଗିଛି । କଟକ ମୁଣ୍ଡଳୀ ବ୍ରିଜ ଦେଇ ପ୍ରବାହିତ ହେଉଛି ପ୍ରତି ସେକେଣ୍ଡ ପିଛା ୭ ଲକ୍ଷ ୫୪ ହଜାର ୩୮୫ କ୍ୟୁସେକ ଜଳ । ନରାଜ ବ୍ୟାରେଜ ଦେଇ କାଠଯୋଡ଼ି ନଦୀକୁ ଛଡ଼ା ଯାଉଛି ୩ ଲକ୍ଷ ୮୯ ହଜାର ୩୬୨ କ୍ୟୁସେକ ଜଳ । ଅବଶିଷ୍ଟ ଜଳ ମହାନଦୀରେ ପ୍ରବାହିତ ହେଉଛି । ମୁଣ୍ଡଳୀଠାରେ ଅଫ ଷ୍ଟ୍ରିମ ଜଳସ୍ତର ୯୨.୦୦ ଫୁଟ ଥିବା ବେଳେ, ଡାଉନ ଷ୍ଟ୍ରିମ ୮୯.୫୦ ଫୁଟ ରହିଛି । ନରାଜଠାରେ ଅଫ ଷ୍ଟ୍ରିମ ଜଳସ୍ତର ୨୫.୯୦ ମିଟର ଥିବା ବେଳେ, ଡାଉନ ଷ୍ଟ୍ରିମ ୨୩.୧୦ ମିଟର ରହିଛି। ଉଭୟ ମୁଣ୍ଡଳୀ ଏବଂ ନରାଜଠାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ଜଳ ।
ମହାନଦୀରେ ଆସୁଥିବା ପାଣିର ପ୍ରଭାବ ଏହାର ଶାଖା ଓ ଉପନଦୀଗୁଡ଼ିକରେ ମଧ୍ୟ ପଡ଼ିବ । ଲୁଣା, କରାଣ୍ଡିଆ, ରତ୍ନଚିରା, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କାଠଯୋଡ଼ି ଓ କୁଆଖାଇ ଭଳି ନଦୀରେ ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ରହିଛି। ବିଶେଷ କରି କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇପାରେ । ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା ଓ ଗୋପ ଅଞ୍ଚଳ ଉପରେ ବିଶେଷ ନଜର ରହିଛି। ସେହିପରି କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳର କେତେକ ସ୍ଥାନରେ ବନ୍ୟାପାଣି ପଶିବା ଆରମ୍ଭ ହୋଇଥିବା ସୂଚନା ମିଳିଛି ।
