ଚଳଚଞ୍ଚଳ କ୍ୟାମ୍ପସ, ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଚଳଚଞ୍ଚଳ କ୍ୟାମ୍ପସ । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରୁଛି ଛାତ୍ର ସଂସଦ ନିର୍ବାଚନ । ନିର୍ବାଚନକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ । ରାଜ୍ୟର ସବୁ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ କଲେଜ ଓ ସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ପରିସରରେ ତେଜିବାରେ ଲାଗିଛି ନିର୍ବାଚନୀ ମାହୋଲ ।
ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କ୍ୟାମ୍ପସ ପରିସରରେ ପୋଲିସ ମୁତୟନ କରାଯାଇଛି । ୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ଟା ମଧ୍ୟରେ ନାମାଙ୍କନ ଦାଖଲ ହେବ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନ ଯାଞ୍ଚ କରାଯିବ ଏବଂ ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ୧୦ରେ ପ୍ରାର୍ଥୀ ନାମ ପ୍ରତ୍ୟାହାର କରିପାରିବେ ଏବଂ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୪ରେ ‘WHY I STAND FOR’ ସଭା ହେବ ।
ଏଥିରେ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ସାମ୍ନାରେ ନିଜର ଲକ୍ଷ୍ୟ ଓ କ୍ୟାମ୍ପସ ପାଇଁ ଯୋଜନା ରଖିବେ । ଅକ୍ଟୋବର ୧୫ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହେବ। ପରେ ଭୋଟ୍ ଗଣତି ଓ ଫଳାଫଳ ଘୋଷଣା କରାଯିବ । ୧୬ରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ହେବ। ଭୋଟର ତାଲିକା, ନାମାଙ୍କନ ପ୍ରକ୍ରିୟା, ମତଦାନ କେନ୍ଦ୍ର, ଭୋଟ୍ ଗଣତି ଏବଂ କ୍ୟାମ୍ପସ ଶୃଙ୍ଖଳା ଉପରେ କର୍ତ୍ତୃପକ୍ଷ ଫୋକସ୍ କରୁଛନ୍ତି । ଶିକ୍ଷାଦାନ ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ହିଂସାମୁକ୍ତ କରିବା ପାଇଁ ପୋଲିସ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ନିର୍ବାଚନ ପ୍ରକ୍ରିୟାରେ କେବଳ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଇପାରିବେ। ପ୍ରାର୍ଥୀଙ୍କ ସର୍ବାଧିକ ନିର୍ବାଚନୀ ଖର୍ଚ୍ଚ ୫ ହଜାର ଟଙ୍କା ରଖାଯାଇଛି । +୩ ବା ସ୍ନାତକ ସ୍ତରର ପ୍ରାର୍ଥୀଙ୍କ ବୟସ ୧୭ରୁ ୨୨ ବର୍ଷ ମଧ୍ୟରେ ହେବା ଦରକାର । ସ୍ନାତକୋତ୍ତର ସ୍ତରରେ ସର୍ବାଧିକ ବୟସ ସୀମା ୨୫ ବର୍ଷ ରହିଛି। ନିର୍ବାଚନ ଲିଙ୍ଗଡୋ କମିଟି ସୁପାରିସ ଓ ଲାଗୁ ନିର୍ବାଚନୀ ନିୟମ ଅନୁସାରେ କରାଯିବ ।
