ନାବାଳିକା ଦୁଷ୍କର୍ମ ଅଭିଯୋଗରେ ୨୦ ବର୍ଷ କାରାଦଣ୍ଡାଦେଶ
ଭୁବନେଶ୍ୱର : ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ବର୍ଷର କାରାଦଣ୍ଡାଦେଶ । ଶୁଣାଇଲେ ଯାଜପୁରର ପୋକ୍ସୋ ସ୍ବତନ୍ତ୍ର କୋର୍ଟ । ଧରମ ଝିଅକୁ ୫ ମାସ ଗର୍ଭବତୀ କରି ୨୦ବର୍ଷ ପାଇଁ ଜେଲ ଗଲେ ଦିବ୍ୟାଙ୍ଗ ଧରମ ବାପା । ୨୦୨୫ ମସିହା ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳର ଶାରୀରିକ ଭିନ୍ନକ୍ଷମ ଅର୍ଜୁନ ବେହେରା ସେହି ଅଂଚଳର ଜୈନିକ ୧୫ ବର୍ଷୀୟ ନାବାଳିକାକୁ ଧରମ ଝିଅ ସମ୍ପର୍କ ଲଗାଇ ଘର କାର୍ଯ୍ୟରେ ସାହାଯ୍ୟ କରିବାକୁ ଘରକୁ ଡ଼ାକି ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କରିଥିଲେ ।
ନାବାଳିକା ଜଣଙ୍କ ଭୟରେ ଏ କଥା କାହାକୁ କହିପାରୁ ନଥିଲେ । ହଠାତ ପିଡିତାଙ୍କ ପେଟ ରେ ଯନ୍ତ୍ରଣା ହେବାରୁ ପିଡିତା ୫ ମାସର ଗର୍ଭବତୀ ଥିବା ଡାକ୍ତରଙ୍କ ଠାରୁ ପରିବାରବର୍ଗ ଜାଣିବାକୁ ପାଇଥିଲେ । ଏ ନେଇ ଧର୍ମଶାଳା ଥାନାରେ ପୀଡ଼ିତାଙ୍କ ପରିବାର ବର୍ଗ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ଅର୍ଜୁନକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ।
ଆଜି ଏହି ମାମଲାର ଶୁଣାଣି କରିଛନ୍ତି ଯାଜପୁର ଆଡ଼ ହକ ଅତିରିକ୍ତ ଜିଲା ଓ ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ ଅଦାଲତ । ୯ ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି । ଏଥି ସହିତ ଅନାଦୟ ୨୪ ମାସ ଅଧିକ କାରାଦଣ୍ଡାଦେଶ ସହ ପିଡିତାଙ୍କୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ବିଚାରପତି ଶରତ କୁମାର ଦେହୁରୀ । ଏହି ମାମଲାକୁ ସରକାରୀ ଓକିଲ ଦିଲ୍ଲୀପ ଦାସ ପରିଚାଳନା କରିଛନ୍ତି ।
