‘ପ୍ରଳୟ’ : ଚେତାବନୀ ଦେଲେଣି ୧୮୦ ବୈଜ୍ଞାନିକ
ସତରେ ଶୁଖିଯିବ କି ନଦୀ-ନାଳ? ଆଉ ହେବନି କି ବର୍ଷା? ଡହ ଡହ ଖରାରେ ସନ୍ତୁଳିହେବ କି ମଣିଷ? ଚେତାବନୀ ଦେଲେଣି ୧୮୦ ବୈଜ୍ଞାନିକ । ଆଲର୍ଟ ରୁହ,ଆସୁଛି ପ୍ରଳୟ ପରିକା ପାଗ…ଆଗାମୀ କିଛି ମାସ ଭିତରେ ଭାରତର ଜଳବାୟୁରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଦେଖାଦେବାର ଆଶଙ୍କା ସୃଷ୍ଟି ହୋଇଛି। ଭାରତରେ ଏକ ଅତ୍ୟନ୍ତ ସଙ୍କଟଜନକ ଓ ଶକ୍ତିଶାଳୀ ‘ଏଲ୍-ନିନୋ’ର ପ୍ରଭାବ ପଡ଼ିବାକୁ ଯାଉଛି ବୋଲି ଦେଶର ୧୮୦ରୁ ଊର୍ଦ୍ଧ୍ୱ ପରିବେଶ ଓ ପାଣିପାଗ ବିଜ୍ଞାନୀ ସତର୍କ କରାଇ ଦେଇଛନ୍ତି। ଏହି ପ୍ରାକୃତିକ ସଙ୍କଟ ଯୋଗୁଁ ଦେଶରେ ଅତ୍ୟାଧିକ ଗ୍ରୀଷ୍ମ ପ୍ରବାହ, କମ୍ ବର୍ଷା ଏବଂ ଜଳାଭାବ ଭଳି ଭୟଙ୍କର ସ୍ଥିତି ସୃଷ୍ଟି ହୋଇପାରେ । ଭାରତର ଜଙ୍ଗଲ, ନଦୀ, ସମୁଦ୍ର, ପାହାଡ଼, କୃଷି କ୍ଷେତ୍ର ଏବଂ ବନ୍ୟଜନ୍ତୁଙ୍କ ଉପରେ ଏହାର ଗମ୍ଭୀର କୁପ୍ରଭାବ ପଡ଼ିବାର ସମ୍ଭାବନା ରହିଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଏହା ସାଧାରଣ ଏଲ୍-ନିନୋ ତୁଳନାରେ ଅଧିକ ବିପଜ୍ଜନକ ରହିବ ।
ସଂକ୍ଷେପରେ କହିଲେ ‘ଏଲ୍-ନିନୋ’ ହେଉଛି ପ୍ରଶାନ୍ତ ମହାସାଗର ସହ ଜଡ଼ିତ ଏକ ପ୍ରାକୃତିକ ଜଳବାୟୁଗତ ଘଟଣା । ଯେଉଁଥିରେ ସମୁଦ୍ର ପୃଷ୍ଠର ଜଳସ୍ରୋତ ସାଧାରଣ ତୁଳନାରେ ଅତ୍ୟଧିକ ଉତ୍ତପ୍ତ ହୋଇଯାଏ। ଯାହାର ପ୍ରଭାବରେ ପୂରା ବିଶ୍ୱର ପାଣିପାଗ ଚକ୍ର ବିଗିଡ଼ିଯାଏ। ଭାରତରେ ସାଧାରଣତଃ ଏଲ୍-ନିନୋ ପ୍ରଭାବରେ ମୌସୁମୀ ବାୟୁ ଦୁର୍ବଳ ହୋଇଥାଏ କିମ୍ବା ବିଳମ୍ବରେ ଆସିଥାଏ ଯାହା ଫଳରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥାଏ। ‘ଜେନୋଡୋ’ପ୍ଲାଟଫର୍ମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଏଥର ପ୍ରଶାନ୍ତ ମହାସାଗରର ତାପମାତ୍ରା ଅସାଧାରଣ ଭାବେ ବୃଦ୍ଧି ପାଉଛି। ଏହି ପ୍ରକ୍ରିୟାକୁ ‘ସୁପର୍ ଏଲ୍-ନିନୋ’ର ଆଗମନ ବୋଲି କୁହାଯାଉଛି ଯାହା ପରିବେଶବିତ୍ ଓ ଗବେଷକମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି କହିଲେ କିଛି ଭୁଲ୍ ହେବନି।
ବୈଜ୍ଞାନିକଙ୍କ ଚେତାବନୀ ଅନୁଯାୟୀ, ନଭେମ୍ବର ୨୦୨୬ରୁ ଆରମ୍ଭ କରି ଆଗାମୀ ବର୍ଷ ପର୍ଯ୍ୟନ୍ତ ଭାରତର ଅନେକ ଅଞ୍ଚଳରେ ପ୍ରଚଣ୍ଡ ଖରା, ଗ୍ରୀଷ୍ମପ୍ରବାହ ଏବଂ ଶୁଷ୍କ ପରିବେଶ ଅନୁଭୂତ ହେବ। କମ୍ ବର୍ଷା ଯୋଗୁଁ ନଦୀ-ନାଳ ସବୁ ଶୁଖିଯିବ ଏବଂ ଜଳସଙ୍କଟ ଚରମ ସୀମାରେ ପହଞ୍ଚିବ। ଏହାର ସିଧାସଳଖ କୁପ୍ରଭାବ କୃଷି ଉତ୍ପାଦନ, ଜଙ୍ଗଲୀ ପରିବେଶ ଓ ପ୍ରାଣୀସମ୍ପଦ ଉପରେ ପଡ଼ିବ, ଯାହା ଗ୍ରାମୀଣ ଅର୍ଥନୀତିକୁ ସଂପୂର୍ଣ୍ଣ ଦୋହଲାଇ ଦେବ। ଖାସ୍ କରି ମରୁଭୂମି, ପାର୍ବତ୍ୟ ଅଞ୍ଚଳ ଏବଂ ପାଣିର ଅଭାବ ରହିଥିବା ଶୁଷ୍କ ଅଞ୍ଚଳରେ ରହୁଥିବା ଜୀବଜନ୍ତୁ ଓ ଉଦ୍ଭିଦମାନଙ୍କ ପାଇଁ ବଞ୍ଚିରହିବା କଷ୍ଟକର ହୋଇପଡ଼ିବ। ଏହାଛଡ଼ା ସହରାଞ୍ଚଳଗୁଡ଼ିକରେ ମଧ୍ୟ ତାପମାତ୍ରା ଅସହ୍ୟ ରୂପ ନେବ । ଏହାର ସାମ୍ନା କରିବା ପାଇଁ ବୈଜ୍ଞାନିକମାନେ ଭାରତ ସରକାର, ଗବେଷଣା ସଂସ୍ଥା ଏବଂ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ତୁରନ୍ତ ଆଲର୍ଟ ରହିବାକୁ ଆହ୍ୱାନ ଦେଇଛନ୍ତି। ବିପର୍ଯ୍ୟୟ ପରେ କ୍ଷତିର ଆକଳନ କରିବା ଅପେକ୍ଷା ଏବେଠାରୁ ହିଁ ପରିବେଶ ସଚେତନ, ଜଳସମ୍ପଦ ସଂରକ୍ଷଣ ଏବଂ ଆଗୁଆ ପ୍ରସ୍ତୁତି କରିବା ଅତ୍ୟନ୍ତ ଜରୁରୀ। ଯଦି ସମୟ ଥାଉ ଥାଉ ଜଳସମ୍ପଦର ସଠିକ୍ ପରିଚାଳନା ଏବଂ କୃଷକମାନଙ୍କୁ ସଚେତନ ନକରାଯାଏ, ତେବେ ଆଉ କିଛି ମାସ ପରେ ଏହି ‘ସୁପର୍ ଏଲ୍-ନିନୋ’ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ଆଣିଦେବ ଏଥିରେ କୌଣସି ସନ୍ଦେହ ନାହିଁ। ତେଣୁ ପ୍ରକୃତିର କୋପରୁ ବଞ୍ଚିବା ପାଇଁ ବର୍ତ୍ତମାନଠାରୁ ହିଁ ପ୍ରସ୍ତୁତିକୁ ବ୍ୟାପକ କରିବାକୁ ପଡ଼ିବ।
