ପାହାଡ଼ରୁ ଧସିଲା ପଥର, ୧୮ ଘଣ୍ଟା ପରେ ବି ରାସ୍ତା ସଫା ହୋଇନି
କେନ୍ଦୁଝର: ପାହାଡ଼ରୁ ଧସିଲା ପଥର। ୧୮ ଘଣ୍ଟା ପରେ ବି ହୋଇନି ରାସ୍ତା ସଫା । କେନ୍ଦୁଝର ସହରରେ ଲଗାଣ ବର୍ଷା ଯୋଗୁ ଜୁଡିଆ ଘାଟିର ବିଭିନ୍ନ ସ୍ଥାନର ପାହାଡ଼ରୁ ପଥର ଧସିଛି। ଫଳରେ ଗୋଟିଏ ପାର୍ଶ୍ବରେ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି। ଘଟଣାକୁ ୧୮ ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ରାସ୍ତା ସଫା ହୋଇନାହିଁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ, ଲଗାଣ ବର୍ଷା ପରେ ଜୁଡିଆ ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ରୁ ପଥର ଓ ମାଟି ଧସିଥିଲା। ଏଥିରେ ରାସ୍ତାର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଭାବେ ଅବରୋଧ ହୋଇପଡ଼ିଛି। ରାସ୍ତା ଉପରେ ବଡ଼ ବଡ଼ ପଥର ପଡ଼ିଥିବାରୁ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଘଟଣା ପରେ ରାସ୍ତା ସଫା କରିବା ଏବଂ ପଥର ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବା ଆଶା କରାଯାଉଥିଲେ ମଧ୍ୟ ୧୮ ଘଣ୍ଟା ପରେ ବି ସ୍ଥିତିରେ ବିଶେଷ ସୁଧାର ଆସିନାହିଁ। ଫଳରେ ଯାତ୍ରୀ ଓ ସ୍ଥାନୀୟ ଲୋକେ ହଇରାଣ ହେଉଛନ୍ତି।
