ସିଓପିଡି ବିଶ୍ୱ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି : ବିଶେଷଜ୍ଞ

ଭୁବନେଶ୍ୱର, ୨୫/୧୧: ନିଃଶ୍ୱାସ ନେବା ମଣିଷ ଜୀବନର ସବୁଠାରୁ ମୌଳିକ ପ୍ରକ୍ରିୟା । କିନ୍ତୁ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟେକ ନିଃଶ୍ୱାସ ଏବେ ଏକ ସଂଘର୍ଷରେ ପରିଣତ ହୋଇଛି । କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରୀ ଡିଜିଜ୍ (ସିଓପିଡି) ବା ଦୀର୍ଘସ୍ଥାୟୀ ଶ୍ୱାସଜନିତ ଅବରୋଧକ ରୋଗରେ ବର୍ତମାନ ଲକ୍ଷ ଲକ୍ଷ ଲୋକ ପୀଡ଼ିତ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ବିଶ୍ୱ ସିଓପିଡି ଦିବସ ପରପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ପଲମୋନାରୀ ମେଡିସିନ୍ ବିଭାଗ ପକ୍ଷରୁ ବୁଧବାର ଆୟୋଜିତ ସିଏମ୍‌ଇରେ ଏହି ଉଦ୍‌ବେଗ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଧୁମ୍ରପାନ ଓ ବାୟୁ ପ୍ରଦୁଷଣ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ଆହ୍ୱାନ ସୃଷ୍ଟି ହୋଇଥିବା ବୋଲି କହିବା ସହ ଏହାର ପ୍ରତିରୋଧ, ନିରାକରଣ ଓ ଚିକିତ୍ସାର ଆବଶ୍ୟକତା ରହିଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ପଲମୋନାରୀ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବନାନୀ ଜେନା ସ୍ୱାଗତ ଭାଷଣ ଦେବା ଅବସରରେ କେବଳ ଚିକିତ୍ସା ଓ ଡାକ୍ତରୀ ବୃତି ସହ ଜଡିତ ବ୍ୟକ୍ତି ଭାବେ ନୁହେଁ ବରଂ ସିଓପିଡି ରୋଗରେ ପୀଡ଼ିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସଚେତନତାର ବାର୍ତାବହ ଭାବେ ଏକାଠି ହେବାର ସୁଯୋଗ ଆସିଛି ବୋଲି କହିଥିଲେ। ଶ୍ୱାସ ରୋଗ ଚିକିତ୍ସା ବିଜ୍ଞାନରେ ଅନେକ ଅଗ୍ରଗତି ସତ୍ୱେ ଏହି ରୋଗ ଏବେ ମଧ୍ୟ ଅନେକ କ୍ଷେତ୍ରରେ ଅଣଚିହ୍ନଟ, ଅଣନିରୁପଣ ଓ ଉପଯୁକ୍ତ ଚିକିତ୍ସାରୁ ବଂଚିତ ବୋଲି ସେ କହିଥିଲେ। ଏହା ଏକ ପ୍ରଗତିଶୀଳ ରୋଗ ଯାହା ରୋଗୀଙ୍କ ଶାରିରୀକ କାର୍ଯ୍ୟ କ୍ଷମତାକୁ ହ୍ରାସ କରିବା ସହ ନିଦ୍ରାରେ ବାଧା ସୃଷ୍ଟି କରେ, ସାମାଜିକ ଜୀବନକୁ ସୀମିତ କରେ ଓ ସ୍ୱାଧୀନତା ଓ ଆତ୍ମବିଶ୍ୱାସକୁ ପ୍ରଭାବିତ କରେ ବୋଲି ସେ କହିଥିଲେ। ଅନେକ ରୋଗୀ ରୋଗ ଗୁରୁତର ଅବସ୍ଥାରେ ପହଂଚିବା ପରେ ହିଁ ଡାକ୍ତରଙ୍କ ପାଖକୁ ଆସିଥାନ୍ତି । ତେଣୁ ଏହି ରୋଗ ସମ୍ପର୍କରେ ଡାକ୍ତର ସଚେତନତା, ଶୀଘ୍ର ରୋଗ ଚିହ୍ନଟ ଓ ସମନ୍ୱିତ ଚିକିତ୍ସା ପରିଚାଳନାର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ପ୍ରଫେସର ଜେନା କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ ଭୁବନେଶ୍ୱରର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସିଓପିଡିକୁ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିବା ସହ ହସ୍ପିଟାଲ୍‌ର ପ୍ରତ୍ୟେକ ବିଭାଗ ମିଳିତ ଭାବେ ଏହି ସ୍ୱାସ୍ଥ୍ୟ ସମସ୍ୟାକୁ ସୁଧାରିବାରେ ସହାୟକ ହେବା ଉଚିତ୍ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପଲମୋନାରୀ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିବା ସହ କୋଭିଡ ସମୟରେ ଏହି ବିଭାଗର କାର୍ଯ୍ୟ ଉଲ୍ଲେଖନୀୟ ଥିଲା ବୋଲି କହିଥିଲେ ।
ଏହି ସିଏମ୍‌ଇ କାର୍ଯ୍ୟକ୍ରମରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲର ଥୋରାସିକ୍ ଆଣ୍ଡ ଲଙ୍ଗ ଟ୍ରାନ୍ସପ୍ଲାଂଟ ସର୍ଜନ ଡାକ୍ତର ମୋହନ ଭେଙ୍କଟେଶ ପୁଲେ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ସିଓପିଡି ରୋଗର କାରଣ, ନିରାକରଣ ଓ ଚିକିତ୍ସା ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପଲମୋନାରୀ ମେଡିସିନ୍ ବିଭାଗର ପ୍ରଫେସର (ଡାକ୍ତର) ରାଖୀ ଲୁଦାମ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *