ବର୍ଷାଦିନେ ଆଖି ପାଇଁ ବଢ଼ିଲା ବିପଦ! ଏହି ଭୁଲ୍ କଲେ ହୋଇପାରେ ସଂକ୍ରମଣ
ବର୍ଷାଋତୁ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଦେଇଥାଏ । ହେଲେ ବର୍ଷାଦିନେ ପରିବେଶରେ ଆର୍ଦ୍ରତା ବଢ଼ିବା ସହ ଅପରିଷ୍କାର ପାଣି, ଧୂଳି ଓ ଜୀବାଣୁର ସଂସ୍ପର୍ଶ ବଢ଼ି ଯାଇଥାଏ । ସେହି ସବୁ ସମସ୍ୟା ମଧ୍ୟରୁ ଆଖି ସଂକ୍ରମଣ ଅନ୍ୟତମ । ଫଳରେ ଆଖିରେ ଲାଲପଣ, କୁଣ୍ଡାଇ ହେବା, ଜଳାପୋଡ଼ା, ଅଧିକ ପାଣି ବାହାରିବା କିମ୍ବା ଆଖିରୁ ମଇଳା ବାହାରିବା ଭଳି ସମସ୍ୟା ଦେଖାଦେଇଥାଏ ।
ବର୍ଷା ପାଣି କେବଳ ଆଖି ସଂକ୍ରମଣର କାରଣ ନୁହେଁ । ଅପରିଷ୍କାର ହାତରେ ଆଖି ଛୁଇଁବା, ସଂକ୍ରମିତ ବ୍ୟକ୍ତିଙ୍କ ଟାୱେଲ୍ କିମ୍ବା ରୁମାଲ୍ ବ୍ୟବହାର କରିବା, ଜନଗହଳିପୂର୍ଣ୍ଣ ସ୍ଥାନରେ ରହିବା ଭଳି କାରଣରୁ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ବଢିଯାଇଥାଏ ।
ଆଉ ଯଦି ଘରେ କାହାର ଆଖି ସଂକ୍ରମଣ ହୋଇଛି, ତେବେ ସାବଧାନ! ସମାନ ଟାୱେଲ୍, ତକିଆ, ରୁମାଲ୍, ଆଇ ଡ୍ରପ୍ କିମ୍ବା ଅନ୍ୟ ବ୍ୟକ୍ତିଗତ ସାମଗ୍ରୀ ବ୍ୟବହାର କଲେ ସଂକ୍ରମଣ ଅନ୍ୟମାନଙ୍କୁ ବ୍ୟାପିପାରେ । ଆଉ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିଲେ ଆହୁରି ସତର୍କ ରୁହନ୍ତୁ । ଲେନ୍ସ କିମ୍ବା କେସ୍କୁ ବାହାର ପାଣିରେ ସଫା କରିବା ଉଚିତ ନୁହେଁ । ଆଖି ଲାଲ ହେଲେ, ଯନ୍ତ୍ରଣା ହେଲେ କିମ୍ବା ମଇଳା ବାହାରିଲେ ଲେନ୍ସ ବ୍ୟବହାର ବନ୍ଦ କରି ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ।
ଆଖି ଲାଲ ହେଲା ମାତ୍ରେ ନିଜ ଇଚ୍ଛାରେ ଆଣ୍ଟିବାୟୋଟିକ୍ ଆଇ ଡ୍ରପ୍ ବ୍ୟବହାର କରନ୍ତୁ ନାହିଁ । କାରଣ ଆଖି ଲାଲ ହେବାର ପଛରେ ସଂକ୍ରମଣ ବ୍ୟତୀତ ଆଲର୍ଜି, ଧୂଳି, ପ୍ରଦୂଷଣ କିମ୍ବା ଅଧିକ ଦିନରୁ କୌଣସି ସ୍କ୍ରିନକୁ ଦେଖିବା ଯୋଗୁଁ ଏପରି ସମସ୍ୟା ଦେଖିବାକୁ ମିଳୁଥାଇପାରେ । ଯଦି ଆଖିରେ ଅଧିକ ଯନ୍ତ୍ରଣା, ଦୃଷ୍ଟି ଅସ୍ପଷ୍ଟ ହେବା କିମ୍ବା ଆଲୋକ ସହିବାରେ ସମସ୍ୟା ହୁଏ, ତେବେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
