ହର୍ମୁଜ୍କୁ ନେଇ ତେଜିଲା ଟେନସନ୍, ଓମାନକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ
ନୂଆଦିଲ୍ଳୀ: ଓମାନକୁ ଟ୍ରମ୍ପଙ୍କ ବୋମା ମାଡ଼ ଧମକ । ହର୍ମୁଜ୍ କୁ ନେଇ ବଢ଼ିଲା ଟେନସନ୍ । ସହଯୋଗୀ ଓମାନକୁ ଟ୍ରମ୍ପଙ୍କ ଧମକ । ଇରାନ ସହ ବ୍ୟାପକ ଶାନ୍ତି ଚୁକ୍ତି ପାଇଁ ଧାର୍ଯ୍ୟ ହୋଇଥିବା ୬୦ ଦିନିଆ ସମୟସୀମା ଶେଷ ହେବା ସହ ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା ବଢ଼ିଛି । ଏହାରି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସହଯୋଗୀ ଦେଶ ଓମାନକୁ ମଧ୍ୟ ସାମରିକ ଆକ୍ରମଣର ଧମକ ଦେଇଛନ୍ତି । ଓମାନ ଏବେ ଇରାନ ସହ ଆଲୋଚନା କରି ହର୍ମୁଜ୍ ପ୍ରଣାଳୀ ଦେଇ ପୁଣି ସୁରକ୍ଷିତ ଜାହାଜ ଚଳାଚଳ ଆରମ୍ଭ କରିବାକୁ ଉଦ୍ୟମ କରୁଛି । ଇରାନ ଓ ଓମାନ ଏନେଇ ଏକ ଟ୍ରାନ୍ ଜିଟ୍ ରୁଟ୍ ବ୍ୟବସ୍ଥା ଉପରେ ବୁଝାମଣାରେ ପହଞ୍ଚିଥିବା କହିଛନ୍ତି ।
କିନ୍ତୁ ଆମେରିକାର ଇରାନ ନୀତି ଓ ହର୍ମୁଜ୍ ପ୍ରଣାଳୀକୁ ନେଇ ଚାଲିଥିବା ଆଲୋଚନାରେ ଓମାନ ବାଧା ସୃଷ୍ଟି କଲେ ତାହାର ପରିଣାମ ଗୁରୁତର ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । Fox Newsକୁ ଦେଇଥିବା ସାକ୍ଷାତକାରରେ ସେ ଓମାନ ବିରୋଧରେ ବୋମା ମାଡ଼ ପର୍ଯ୍ୟନ୍ତ କରିବାର ଅତ୍ୟନ୍ତ କଠୋର ଭାଷା ବ୍ୟବହାର କରିଛନ୍ତି। ଟ୍ରମ୍ପ ଇରାନ ପ୍ରତି ମଧ୍ୟ ତାଙ୍କ ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି । ଯୁଦ୍ଧ ଶେଷ କରିବାକୁ ହେଲେ ଇରାନ ଆତ୍ମସମର୍ପଣ କରୁ ବୋଲି ସେ କହିଛନ୍ତି । ସେହିପରି ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ—ଏହା ଆମେରିକାର ପ୍ରମୁଖ ଲକ୍ଷ୍ୟ ବୋଲି ଟ୍ରମ୍ପ ପୁଣି ସ୍ପଷ୍ଟ କରିଛନ୍ତି । ଜୁନ୍ ରେ ହୋଇଥିବା ଆମେରିକା-ଇରାନ ବୁଝାମଣା ପରେ ଏକ ବ୍ୟାପକ ଚୁକ୍ତି ପାଇଁ ୬୦ ଦିନ ସମୟ ରଖାଯାଇଥିଲା । ଏହି ଆଲୋଚନାରେ ଇରାନର ପରମାଣୁ କାର୍ଯ୍ୟକ୍ରମ ସହ ହର୍ମୁଜ୍ ପ୍ରଣାଳୀରେ ସ୍ୱାଭାବିକ ଜାହାଜ ଚଳାଚଳ ଫେରାଇ ଆଣିବା ଭଳି ପ୍ରମୁଖ ପ୍ରସଙ୍ଗ ଥିଲା ।
କିନ୍ତୁ ୧୭ ଅଗଷ୍ଟରେ ଏହି ସମୟସୀମା ଶେଷ ହୋଇଥିଲେ ମଧ୍ୟ ବ୍ୟାପକ ଚୁକ୍ତି ଚୂଡ଼ାନ୍ତ ହୋଇପାରିନାହିଁ । ହର୍ମୁଜ୍ ପ୍ରଣାଳୀ ବିଶ୍ୱ ତୈଳ ଓ ଗ୍ୟାସ୍ ପରିବହନର ସବୁଠାରୁ ସମ୍ବେଦନଶୀଳ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ । ଏଠାରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବାର ପ୍ରଭାବ ଅନ୍ତର୍ଜାତୀୟ ତୈଳ ବଜାରରେ ପଡ଼ିଛି । ସୋମବାର ମଧ୍ୟ ଇରାନ ଯୁଦ୍ଧର ସମାଧାନ ପାଇଁ କୂଟନୈତିକ ପ୍ରୟାସରେ ଅଗ୍ରଗତି ନ ହେବାରୁ ତୈଳ ଦର ବଢ଼ିଥିବା Reuters ରିପୋର୍ଟ କରିଛି । ଇରାନ-ଓମାନ ବୁଝାମଣା ହର୍ମୁଜ୍ ରେ ଜାହାଜ ଚଳାଚଳ ସ୍ୱାଭାବିକ କରିପାରୁଛି କି ନାହିଁ ତା ଉପରେ ନଜର ରହିଛି । ସେହିପରି ୬୦ ଦିନିଆ ଡେଡ୍ ଲାଇନ୍ ପରେ ଟ୍ରମ୍ପ ପ୍ରଶାସନ କୂଟନୈତିକ ଆଲୋଚନାକୁ ଆଉ ସମୟ ଦେଉଛି ନା ସାମରିକ ଚାପ ବଢ଼ାଉଛି ତା ଉପରେ ମଧ୍ୟ ନଜର ରହିବ ।
